ଶିକ୍ଷକଙ୍କୁ ପିତୃଶ୍ରାଦ୍ଧ ମନା: ଛୁଟିଲିଷ୍ଟରୁ ମହାଳୟା ବାଦ୍‌

ପୁରୁଷୋତ୍ତମପୁର,୧୦।୧୦(ସୀମାଞ୍ଚଳ ମିଶ୍ର ): ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ଏକ ବିଚିତ୍ର ନୀତି ଦେଖିବାକୁ ମିଳିଛି; ଯାହା କି ଓଡ଼ିଆ ପଞ୍ଜିକାର ଆଶ୍ୱିନ ମାସର ମହାଳୟା ତିଥିରେ ପିତୃପୁରୁଷଙ୍କୁ ପିଣ୍ଡଦାନ ସହ ଶ୍ରାଦ୍ଧ ଦେବା ଲାଗି କେଉଁ ଆବାହନ କାଳରୁ ଏହି ପରମ୍ପରା ରହି ଆସିଛି। ଏହି ପ୍ରକାରେ ଆସନ୍ତା ୧୪ ତାରିଖରେ ମହାଳୟା ରହିଛି। ଏହି ଦିନ ସପ୍ତାହର ଦ୍ୱିତୀୟ ଶନିବାର ହେତୁ ସମସ୍ତ ସରକାରୀ କାର୍ଯାଳୟ ଛୁଟି ରହିଥିବା ବେଳେ ଛୁଟି ରହୁ ନ ଥିବା ଅନ୍ୟ କିଛି ବିଭାଗ କର୍ମଚାରୀମାନଙ୍କୁ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଲାଗି ମହାଳୟାରେ ଛୁଟି ଘୋଷଣା କରିଛନ୍ତି।

ପୂର୍ବ ବର୍ଷମାନଙ୍କରେ ଗଣଶିକ୍ଷା ବିଭାଗରେ ମହାଳୟା ଛୁଟି ରହୁଥିଲା। ମାତ୍ର ଚଳିତ ବର୍ଷ ଗଣଶିକ୍ଷା ବିଭାଗ ମହାଳୟାରେ ଶିକ୍ଷକମାନଙ୍କୁ ଶ୍ରାଦ୍ଧ ଦେବାରୁ ବଞ୍ଚିତ କରାଇ ଛୁଟି ଦେଇ ନାହାନ୍ତି। ଗଣଶିକ୍ଷା ବିଭାଗର ଡାଇରେକ୍ଟ ଅଫ ଏଲିମେଣ୍ଟାରି ଏଜୁକେସନ ପକ୍ଷରୁ ଗତ ୨୩।୧୨।୨୦୨୨ରେ ଅଡର୍‌ ନଂ.୨୪୩୬୪ରେ ଡାଇରେକ୍ଟ ଅଫ ସେକେଣ୍ଡାରି ଏଜୁକେସନ ପକ୍ଷରୁ ଗତ ୨୨।୧୨।୨୦୨୨ରେ ଅଡର୍‌ ନଂ.୩୧୭୭୧ ଓ ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ୨୯।୧୨।୨୦୨୨ରେ ଚିଠି ନଂ.୮୫୬୪ରେ ପ୍ରକାଶିତ ୨୦୨୩ ଛୁଟିଲିଷ୍ଟରେ ମହାଳୟାକୁ ବାଦ୍‌ ଦିଆଯାଇଛି। ଏହାକୁ ନେଇ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। କେତେକ ଶିକ୍ଷକ ଏହି ଛୁଟିତାଲିକା ପ୍ରସ୍ତୁତ କରିଥିବା ବଡବଡିଆ ବାବୁ ଏବଂ ସରକାରଙ୍କୁ ସମାଲୋଚନା କରି କହିଛନ୍ତି।