Categories: ଫୁରସତ

ଆଖି ଭିତରୁ ଡୋଳା ବାହାର କରି ରେକର୍ଡ

ବ୍ରାସିଲିଆ: ପ୍ରତ୍ୟେକ ଲୋକଙ୍କ ପାଖରେ କିଛି ନା କିଛି ଅନ୍ତର୍ନିହିତ ଗୁଣ ରହିଛି। ଅନେକ ଲୋକ ବିସ୍ମୟ କଲାଭଳି ପ୍ରତିଭା ପ୍ରଦର୍ଶନ କରି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ମଧ୍ୟ ହାତେଇଛନ୍ତି। ସେହିପରି ବ୍ରାଜିଲ୍‌ର ସିଡନି ଡେ କାର୍‌ଭାଲହୋ ମେସ୍‌କ୍ୱିଟା ନିଜ ଆଖି ଭିତରୁ (ଆଇ ଶଟର୍‌) ଡୋଳାକୁ ୧୮.୨ ଏମ୍‌.ଏମ୍‌ (୦.୭୧ ଇଞ୍ଚ) ବାହାରକରି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସେ ଟିଓ ଚିକୋ ଭାବେ ବେଶ୍‌ ଜଣାଶୁଣା। ମାତ୍ର ୯ ବର୍ଷ ବୟସରେ ଟିଓ ତାଙ୍କର ଏହି ବିରଳ ପ୍ରତିଭା ବିଷୟରେ ଜାଣିବାକୁ ପାଇଥିଲେ। ପିଲାବେଳେ ସାଙ୍ଗ ଓ ପରିବାର ସଦସ୍ୟଙ୍କ ସହ ଏକାଠି ଥିବାବେଳେ ହସଖୁସି ମାହୋଲରେ ଟିଓ ବିକୃତ ମୁହଁ କରି ପରିବାରର ମନୋରଞ୍ଜନ କରନ୍ତି। ଏମିତି କରୁ କରୁ ସେ ଦିନେ ଆଖି ଡୋଳାକୁ ବାହାରକୁ ବାହାର କରିଦେଲେ, ଯାହା ସାଧାରଣ ଲୋକଙ୍କ ପକ୍ଷେ ସହଜ ନ ଥିଲା। ଏହା ଦେଖି ପରିବାର ଲୋକେ ତାଙ୍କୁ ଖୁବ୍‌ ପ୍ରଶଂସା କରିଥିଲେ। ଏହା ପରେ ସେ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ପାଇଁ ପ୍ରୟାସ କରିଥିଲେ।
୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଟିଓ ଆଖିଡୋଳାକୁ ବାହାରକରି ରଖିପାରିବେ। ତେବେ ଏହା କରିସାରିବାର କିଛି ସେକେଣ୍ଡ ପର୍ଯ୍ୟନ୍ତ ତାଙ୍କୁ ଦେଖାଯାଉ ନ ଥିବା ଟିଓ କହିଛନ୍ତି। କିନ୍ତୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ନିଜ ନାମକୁ ସାମିଲ କରିବା ପରେ ସେ ବେଶ୍‌ ଖୁସି ଥିବା କହିଛନ୍ତି। ଟିଓ ‘ଗ୍ଲୋବ୍‌ ଲୁକ୍ସାଶନ୍‌’ରୋଗରେ ପୀଡ଼ିତ। ରୋଗର ଲକ୍ଷଣ ଅନୁସାରେ ଅପ୍ରାକୃତିକ ଭାବେ ଆଖି ଭିତରୁ ଡୋଳା ବାହାରି ଆସିଥାଏ। ଏହି ବିରଳ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଆଖି ଡୋଳା ଅପ୍ଟିକାଲ ନର୍ଭରୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ବିଚ୍ୟୁତ ହୋଇଥାଏ ବୋଲି ଗୁରୁଗ୍ରାମ ପାରସ ହସ୍ପିଟାଲର ଡା. ଋଷି ଭରଦ୍ୱାଜ କହିଛନ୍ତି।

Share