ରେନଡ୍ସ ସିଣ୍ଡ୍ରୋମ୍‌

ବାରମ୍ବାର ଅଧିକ ଗରମ କିମ୍ବା ଥଣ୍ଡା ପାଣି ସଂସ୍ପର୍ଶରେ ହାତ ଆସିବା ଦ୍ୱାରା ‘ରେନଡ୍ସ ସିଣ୍ଡ୍ରୋମ୍‌’ ସମସ୍ୟା ଦେଖାଦେଇଥାଏ। ତେବେ ତୀବ୍ର ବେଗରେ ଘୂରି ବୁଲୁଥିବା ଗତିଶୀଳ ଉପକରଣ (ଡ୍ରିଲିଙ୍ଗ ମେଶିନ୍‌, ହେୟାର ଡ୍ରାୟର)ର ଅଧିକ ବ୍ୟବହାର ଦ୍ୱାରା ଏହି ସମସ୍ୟାର ସମ୍ମୁଖୀନ ହେବାର ଅଧିକ ଆଶଙ୍କା ରହିଛି। ଏହି ରୋଗରେ ବ୍ୟକ୍ତିର ହାତ, ଗୋଡ ଆଙ୍ଗୁଠିର ଧମନୀ ସିଧାସଳଖ ଭାବେ ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ହାତ ଓ ଗୋଡକୁ ରକ୍ତ ଏବଂ ଅମ୍ଳଜାନ ସଞ୍ଚାଳନ ବନ୍ଦ ହୋଇଯିବା ଦ୍ୱାରା ରକ୍ତ ଜମାଟ ବାନ୍ଧି ଆଙ୍ଗୁଠିର ରଙ୍ଗ ବଦଳି ନୀଳ ହୋଇଯାଏ। ଧୀରେ ଧୀରେ ତାହା ହଳଦିଆ ଏବଂ ଲାଲ ରଙ୍ଗରେ ପରିଣତ ହୋଇଯାଏ। ଏହି ରୋଗ ଏତେ ଭୟଙ୍କର ହୋଇ ନ ଥିଲେ ମଧ୍ୟ ବାରମ୍ବାର ହାତର ରଙ୍ଗ ପରିବର୍ତ୍ତନ ହେବା ଯୋଗୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଅନ୍ୟପକ୍ଷରେ ଅନେକ ସମୟରେ କାନ୍ଧର ମାଂସପେଶୀ ଉପରେ ଅଧିକ ଚାପ ପଡିଲେ ରେନଡ୍ସ ସିଣ୍ଡ୍ରୋମ ହେବାର ଭୟ ଥାଏ। ଅନେକ ସମୟରେ ଟାଇପିଙ୍ଗ ମେଶିନ୍‌ରେ କାମ କରୁଥିବା ବ୍ୟକ୍ତିମାନଙ୍କୁ ବେଳେବେଳେ ଏହି ରୋଗର ସମ୍ମୁଖୀନ ହେବାର ଆଶଙ୍କା ମଧ୍ୟ ଥାଏ। ଖାସ୍‌ କଥା ହେଲା ଏପରି ରୋଗଠାରୁ ନିଜକୁ ଦୂରେଇ ରଖିବାକୁ ହେଲେ ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଯେତେସମ୍ଭବ ଦୂରେଇ ରଖନ୍ତୁ। ତା’ ସହ ଥଣ୍ଡା ଏବଂ ଡିଟରଜେଣ୍ଟ ଏବଂ ସାବୁନ ବ୍ୟବହାର ଯେତେ କମ କରିବେ ସେତେ ଭଲ। ବାସନ କିମ୍ବା ସିଙ୍କ୍‌ ସଫା କରିବା ସମୟରେ ଗ୍ଲୋଭସର ବ୍ୟବହାର କରନ୍ତୁ।