ନୂଆଦିଲ୍ଲୀ, (ନ୍ୟୁ ଇଣ୍ଡିଆ ସମାଚାର) ୧୪ା୧୨: ସଦ୍ୟ ଶେଷ ହୋଇଥିବା ଗ୍ଲାସ୍ଗୋ ଜଳବାୟୁ ସମ୍ମିଳନୀରେ ଭାରତ ବ୍ୟକ୍ତିଗତ ସ୍ବାର୍ଥ ପରିବର୍ତ୍ତେ ସମଗ୍ର ବିଶ୍ୱର ହିତକୁ ଦୃଷ୍ଟି ରଖି ମିଳିତ ଭାବେ କାମ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଥିଲେ। ଭାରତର ଦୃଷ୍ଟିଭଙ୍ଗୀକୁ ବିଶ୍ୱ ନେତାଙ୍କ ନିକଟରେ ଉପସ୍ଥାପନ କରି ୨୦୭୦ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଅଗ୍ରସର ହେଉଥିବା ମଧ୍ୟ କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଭାରତରେ ଅକ୍ଷୟ ଶକ୍ତି କ୍ଷମତାକୁ ୪୦ରୁ ୫୦%କୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ବିକଳ୍ପ ଶକ୍ତି ୫୦୦ ଗିଗାଓ୍ବାଟକୁ ବୃଦ୍ଧି କରାଯିବ। ସବୁଜ ଶକ୍ତିର ବ୍ୟବହାର ବଢ଼ାଯାଇ ୨୦୩୦ ସୁଦ୍ଧା ଭାରତ କାର୍ବନ ନିର୍ଗମନକୁ ଏକ ବିଲିୟନ ଟନ୍ ହ୍ରାସ କରିବ। ବିକଶିତ ଦେଶଗୁଡ଼ିକ ବିକାଶଶୀଳ ଦେଶଗୁଡ଼ିକୁ ୧୦୦ ବିଲିୟନ ଡଲାର ବଦଳରେ ୧ ଟ୍ରିଲିୟନ ଡଲାର ପ୍ରଦାନ କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ପରିବେଶ ସମ୍ବନ୍ଧୀୟ ଭାରତ ୩ଟି ଗୁରୁତ୍ୱପୂର୍ଣ୍ଣ ଫୋରମ୍ ଆରମ୍ଭ କରିଛି। ସେଗୁଡ଼ିକ ହେଲା ବ୍ରିଟେନ୍ ସହ ବିପର୍ଯ୍ୟୟ ପ୍ରତିରୋଧ ଭିତ୍ତିଭୂମି ନିର୍ମାଣ ପାଇଁ ଗଠବନ୍ଧନ (ସିଡିଆର୍ଆଇ) ଫ୍ରାନ୍ସ ସହ ଅନ୍ତର୍ଜାତୀୟ ସୌରମେଣ୍ଟ (ଆଇଏସ୍ଏ) ଏବଂ ସୁଇଡେନ୍ ସହ ଶିଳ୍ପ ପରିବର୍ତ୍ତନ ନିମନ୍ତେ ନେତୃତ୍ୱ ଗୋଷ୍ଠୀ ଗଠନ। ଭାରତ ‘ୱାନ୍ ସନ୍-ୱାନ୍ ୱାଲର୍ଡ-ୱାନ୍ ଗ୍ରୀଡ୍’ ପ୍ରସ୍ତାବକୁ ବ୍ରିଟେନ, ଅଷ୍ଟ୍ରେଲିଆ, ଆମେରିକା ଭଳି ଦେଶ ସମର୍ଥନ ଦେଇଛି। ଇସ୍ରୋ ମାଧ୍ୟମରେ ଭାରତ ଛୋଟ ଦେଶଗୁଡ଼ିକୁ ବୈଷୟିକ ସହାୟତା ପ୍ରଦାନ ନିମନ୍ତେ ମଧ୍ୟ ଆଗଭର ହୋଇଛି। ପରିବେଶ ସୁରକ୍ଷା ସମ୍ବନ୍ଧରେ ଉଜ୍ଜ୍ୱଳା, ଉଜାଲା ଭଳି ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଏହାସହ ବନୀକରଣ ପ୍ରସଙ୍ଗରେ ମଧ୍ୟ ଭାରତ ଭଲ କାମ କରିଛି।