ଦୃଷ୍ଟି ବାଧିତ ଶିକ୍ଷାର୍ଥୀଙ୍କ ପାଇଁ ବୁଝାମଣାପତ୍ରର ନବୀକରଣ

ଭୁବନେଶ୍ୱର,୧ା୭(ଅସମାପିକା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଓସେପା ସମ୍ମିଳନୀ କକ୍ଷରେ ଓସେପା ଓ ସାଇଟସେଭରସ ଇଣ୍ଡିଆ ଏକ ଉନ୍ନୟନ ସଂସ୍ଥା ମଧ୍ୟରେ ଦୃଷ୍ଟି ବାଧିତ ଓ ସ୍ବଚ୍ଛ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷାର ସମୃଦ୍ଧି ପାଇଁ ଏକ ବୁଝାମଣାପତ୍ର ଆସନ୍ତା ୩ ବର୍ଷ ପାଇଁ ନବୀକରଣ ଓ ସ୍ବାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଓସେପା ତରଫରୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଓ ସାଇଟସେଭରସ ତରଫରୁ ରୁଦ୍ରନାରାୟଣ ମହାନ୍ତି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣାପତ୍ର ଅନୁସାରେ ସାଇଟ୍‌ସେଭରସ ସଂସ୍ଥା ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ଦୃଷ୍ଟି ବାଧିତ ଓ ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷାର ସମୃଦ୍ଧି ପାଇଁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେବ ଯଥା ବୈଷୟିକ ପରାମର୍ଶ, ସ୍ପଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ଆକଳନ, ଯୁକ୍ତ ପାଠ୍ୟକ୍ରମ, ଦୃଷ୍ଟି ବାଧିତ ଓ ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ସ୍ବତନ୍ତ୍ର କୌଶଳ ପ୍ରସ୍ତୁତି, ବ୍ଲକ୍‌ ସମ୍ବଳ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକଙ୍କ ନିମନ୍ତେ ତାଲିମ୍‌ ଇତ୍ୟାଦି। ଏହି ବୁଝାମଣା ଅନୁସାରେ ଓଡ଼ିଶାରେ ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ପ୍ରାୟ ୩୦ ହଜାର ଦୃଷ୍ଟିବାଧିତ ଓ ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀ ଉପକୃତ ହେବେ । ଏହି ବୁଝାମଣା ପତ୍ର ଅନୁସାରେ ସାଇଟସେଭରସ ସଂସ୍ଥା ଦୃଷ୍ଟି ବାଧିତ ଓ ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମେନ୍ତ ଆବଶ୍ୟକ ସୂଚନା ପ୍ରଯୁକ୍ତି ଯୋଗାଯୋଗ ମାଧ୍ୟମରେ ଶିକ୍ଷା, ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଉପକରଣ, ଡେଜି ପ୍ଲେୟାର, ଟାବ୍‌ଲେଟ୍‌, ଦୃଷ୍ଟି ବାଧିତ ଓ ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଶିକ୍ଷଣ ଉପକରଣ ଇତ୍ୟାଦିର ବଣ୍ଟନ ଓ ତାଲିମ୍‌ ଗଞ୍ଜାମ ଓ କଳାହାଣ୍ଡି ଜିଲାରେ କରାଯିବ। ଏହାଦ୍ୱାରା ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ଦୃଷ୍ଟି ବାଧିତ ଓ ସ୍ବଳ୍ପ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ନିଶ୍ଚିତ ସହାୟକ ହେବ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ, ବିଭାଗୀୟ ଅଧିକାରୀ ଓ ସାଇଟ୍‌ସେଭରସର ଅଧିକାରୀମାନେ ଉପସ୍ଥିତ ଥିଲେ ।

Share