ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା

ହିନ୍ଦୀ ସିନେମାର ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇଠାରୁ ୮୦ କିଲୋମିଟର ଦୂରରେ ଥିବା କରଜତ ଅଞ୍ଚଳରେ ନିର୍ମିିତ ଏନଡି ଷ୍ଟୁଡିଓରେ ନିତିନ ଫାଶୀ ଲଗାଇ ଦେଇଛନ୍ତି। ନିତିନ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିଲେ। କିଛି ଦିନ ପୂର୍ବରୁ ତାଙ୍କ ବିରୋଧରେ ଏକ ବିଜ୍ଞାପନ ଏଜେନ୍ସି ୫୧ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆଣିଥିଲା। କିନ୍ତୁ ନିତିନ ଏହାକୁ ଅସ୍ବୀକାର କରିଥିଲେ।
ନିତିନ ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି। ଏଥିମଧ୍ୟରେ ହମ ଦିଲ ଦେ ଚୁକେ ସନମ, ଲଗାନ, ଯୋଦ୍ଧା ଆକବର ଏବଂ ପ୍ରେମ ରତନ ଧନ ପାୟୋ ସାମିଲ ଅଛି। ନିତିନ ଏହି ଚଳଚ୍ଚିତ୍ରଗୁଡ଼ିକର ସେଟ ଡିଜାଇନ କରିଥିଲେ।ଏହି ସମସ୍ତ ଚଳଚ୍ଚିତ୍ରରେ ଗ୍ରାଣ୍ଡ ସେଟ ପ୍ରଦର୍ଶିତ ହୋଇଥିଲା, ଯାହା ପ୍ରତ୍ୟେକ ଥର ପ୍ରଶଂସିତ ହୁଏ। ନିତିନଙ୍କୁ ଚାରିଟି ଜାତୀୟ ପୁରସ୍କାର ମଧ୍ୟ ମିଳିଛି। ଶ୍ରେଷ୍ଠ କଳା ନିର୍ଦ୍ଦେଶନା ପାଇଁ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ସେଟ ଡିଜାଇନ କରିବା ସହିତ ନିତିନ ଦେଶାଇ ମଧ୍ୟ ଅଭିନୟ କରିଥିଲେ।ନିତିନ ଦାଉଦ ଫନ୍‌ ଅନ ଦ ରନ, ହେଲୋ ଜୟ ହିନ୍ଦ ଏବଂ ହମ ସବ ଏକ ହେଁ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। କେବଳ ଏତିକି ନୁହେଁ,ସେ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ୨୦୧୧ ଚଳଚ୍ଚିତ୍ର ହେଲୋ ଜୟ ହିନ୍ଦରେ ନିତିନ ନିର୍ଦ୍ଦେଶନା ଦେବା ସହିତ ଅଭିନୟ କରିଥିଲେ। ସେ ଏକ ମରାଠୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

Share