ଘର ଭଡ଼ା ନେଲେ ସଲମାନ: ମାସକୁ ଗଣିବେ ଏତିକି ଟଙ୍କା

ବଲିଉଡର ଅଭିନେତା ସଲମାନ ଖାନ ତାଙ୍କ ପରିବାର ସହିତ ବାନ୍ଦ୍ରାସ୍ଥିତ ଲୋକପ୍ରିୟ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି। ଏହା ସହିତ ସେ ପାନଭେଲର ଫାର୍ମ ହାଉସରେ ମଧ୍ୟ ସମୟ ବିତାନ୍ତି। ଏତେ ସମ୍ପତ୍ତି ଥାଇ ମଧ୍ୟ ଏବେ ସଲମାନ ଏବେ ଭଡା ଘରେ ରହୁଛନ୍ତି। କିନ୍ତୁ ରହିବା ପାଇଁ ନୁହେଁ, ଶୁଟିଂ ପାଇଁ ସେ ଭଡା ଘର ନେଇଛନ୍ତି। ସଲମାନ ଖାନ ବାନ୍ଦ୍ରାସ୍ଥିତ ତାଙ୍କ ଘର ନିକଟରେ ଥିବା ଏକ ଡୁପ୍ଲେକ୍ସ ପାଇଁ ଭଡା ଚୁକ୍ତି କରିଛନ୍ତି। ଏହି ଚୁକ୍ତି ୧୧ ମାସ ପାଇଁ ଅଟେ। ସମସ୍ତ ସୁବିଧା ଏହି ଡୁପ୍ଲେକ୍ସରେ ଅଛି। ୨,୨୬୫ ବର୍ଗଫୁଟର ଏକ କାର୍ପେଟ କ୍ଷେତ୍ର ଅଛି। ଏହି ଡୁପ୍ଲେକ୍ସ ମାକବା ହାଇଟ୍ସ, ବାନ୍ଦ୍ରାର ୧୭ ଏବଂ ୧୮ ମହଲାରେ ଅଛି। ଯାହାର ମାଲିକାନା ବାବା ସିଦ୍ଦିକି ଏବଂ ଜିଶାନ ସିଦ୍ଦିକିଙ୍କ ନାଁରେ ଅଛି। ବାବା ସିଦ୍ଦିକିଙ୍କ ସହ ସଲମାନଙ୍କର ବହୁତ ଭଲ ସମ୍ପର୍କ ଅଛି। କୁହାଯାଉଛି ଯେ ଏହି ଡୁପ୍ଲେକ୍ସ ରାଇଟର୍‌ ପ୍ୟାଡ ପାଇଁ ବ୍ୟବହୃତ ହେବ। ଏଥିପାଇଁ ସଲମାନ ପ୍ରତି ମାସରେ ୮.୨୫ ଲକ୍ଷ ଟଙ୍କା ଭଡା ଦେବେ।
ନିକଟରେ ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ନଭେମ୍ବର ୨୬ରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ତାଙ୍କ ଭିଣୋଇ ଆୟୁଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାବେଳେ ସଲମାନ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଛନ୍ତି। ଏହି ଫିଲ୍ମଟି ମରାଠୀ ଚଳଚ୍ଚିତ୍ର ‘ମୁଲସି ପ୍ୟାଟର୍ନ’ର ରିମେକ ଅଟେ। ଏହି ଫିଲ୍ମଟି ବକ୍ସ ଅଫିସରେ ଜନ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ-୨’ ସହିତ ସିଧାସଳଖ ପ୍ରତିଯୋଗିତା ହେବ।
ଏହା ବ୍ୟତୀତ ସଲମାନ ଖାନ ଫିଲ୍ମ ’ଟାଇଗର ୩’ ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ସେ ପୁଣି ଥରେ କାଟ୍ରିନା କୈଫଙ୍କ ସହ ନଜର ଆସିବେ। ନିକଟରେ ବିଦେଶରେ ଫିଲ୍ମର ଶୁଟିଂ ସାରି ଉଭୟ ଫେରିଛନ୍ତି। ଫିଲ୍ମର ଅବଶିଷ୍ଟ ଅଂଶର ଶୁଟିଂ ଖୁବ ଶୀଘ୍ର ଆରମ୍ଭ ହେବ। ମନିଶ ଶର୍ମା ‘ଟାଇଗର ୩’ର ନିର୍ଦ୍ଦେଶନା ଦେଉଛନ୍ତି।

Share