ଆଇଏଫ୍‌ଏସ୍‌ କ୍ୟାଡରର ପୁନର୍ଗଠନ

ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) କ୍ୟାଡରର ଶେଷ ପୁନର୍ଗଠନ ହେବାର ପ୍ରାୟ ଦୁଇ ଦଶନ୍ଧି ପରେ ମୋଦି ସରକାର ଆସନ୍ତା ୫ବର୍ଷ ମଧ୍ୟରେ ୨୧୫ ଅଧିକାରୀଙ୍କୁ ନେଇ କ୍ୟାଡରର ଶକ୍ତି ବୃଦ୍ଧି ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି, ବିଶ୍ୱରେ ଭାରତର ବଢ଼ୁଥିବା ପ୍ରଭାବ ଏବଂ ଆଗାମୀ ବର୍ଷଗୁଡ଼ିକରେ ୯ଟି ନୂଆ ଭାରତୀୟ ମିଶନ ବା ଦୂତାବାସ ଆରମ୍ଭ କରିବାରେ ସରକାରଙ୍କ ଯୋଜନା ପରିପ୍ରେକ୍ଷୀରେ କ୍ୟାଡର ସମୀକ୍ଷା ଓ ପୁନର୍ଗଠନ ବିଷୟ ବିଚାର କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ(ଏମ୍‌ଇଏ) ପ୍ରକାଶ କରିଛି ଯେ, ଭାରତୀୟ ମିଶନ ଥିବା ଦେଶଗୁଡ଼ିକୁ ହାରାହାରି ବରିଷ୍ଠ ସରକାରୀ କର୍ମଚାରୀଙ୍କ ବାର୍ଷିକ ଗସ୍ତ ସଂଖ୍ୟା ପ୍ରାୟ ୯-୧୦ରୁ ବୃଦ୍ଧି ପାଇ ୨୦୨୩ରେ ଏହା ୩୫-୪୦ରେ ପହଞ୍ଚିଛି। ଏଥିପାଇଁ ଉଭୟ ନୂଆଦିଲ୍ଲୀ ଏବଂ ବିଦେଶରେ ଭାରତର ମିଶନରେ ବିଶେଷ କର୍ମକର୍ତ୍ତାମାନଙ୍କ ଅଧିକ ଆବଶ୍ୟକତା ରହିଛି। ଏହି ଦୃଷ୍ଟିକୋଣକୁୁ ସଂସଦୀୟ ବୈଦେଶିକ ବ୍ୟାପାର କମିଟି ସମର୍ଥନ କରିଥିଲା, ଯାହାକି ଅନ୍ୟ ଦେଶ ତୁଳନାରେ ଆଇଏଫ୍‌ଏସ୍‌ ସଂଖ୍ୟା କମ୍‌ ଥିବା ଦର୍ଶାଇ ଏହାର କୂଟନୈତିକ ପ୍ରତିନିଧି ବଢ଼ାଇବାକୁ ମଧ୍ୟ ପରାମର୍ଶ ଦେଇଥିଲା। ଆଇଏଫ୍‌ଏସ୍‌ ବର୍ତ୍ତମାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶ୍ରମଶକ୍ତିର ମାତ୍ର ୨୨.୫ ପ୍ରତିଶତ । କୌତୂହଳର ବିଷୟ, ଏହି ପଦକ୍ଷେପକୁ ନେଇ ସମୀକ୍ଷକମାନେ କହିଛନ୍ତି ଯେ, କେବଳ ଆଇଏଫ୍‌ଏସ୍‌ ନୁହେଁ ସବୁ ସେବାରେ ଅଧିକ ଅଧିକାରୀ ଆବଶ୍ୟକ ।
ଆକଳନରୁ ଜଣାପଡ଼େ, ୧୯୮୬ରେ ଭାରତରେ ବାବୁଙ୍କ ସଂଖ୍ୟା ଶୀର୍ଷରେ ପହଞ୍ଚିଥିଲା, ଯେଉଁଥିରେ ପ୍ରତି ୧୦ ଲକ୍ଷ ଲୋକଙ୍କ ପିଛା ୧୯,୦୦୦ ଅଧିକାରୀ ଥିଲେ। ସେବେଠାରୁ ଏହି ଅନୁପାତ ହ୍ରାସ ପାଇ ପ୍ରାୟ ୨ ପ୍ରତିଶତକୁ ଖସି ଆସିଛି ଏବଂ ଏହା ଏସିଆର ହାରାହାରି ୨.୬ ପ୍ରତିଶତରୁ କମ୍‌ରେ ଅଛି।

ବଦଳିକୁ ନେଇ ପ୍ରଶ୍ନ

ପାର୍ଲାମେଣ୍ଟରେ ଉପସ୍ଥାପିତ ପ୍ରମୁଖ ଅଡିଟ ରିପୋର୍ଟ ସହିତ ଜଡ଼ିତ କମ୍ପ୍ଟ୍ରୋଲର୍‌ ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି) ଅଧିକାରୀମାନଙ୍କର ଏବକାର ବଦଳିକୁ ନେଇ ଅଡିଟ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ଚିନ୍ତା ପ୍ରକଟ କରାଯାଇଛି। ଏହି ରିପୋର୍ଟଗୁଡ଼ିକ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକରେ ଦୁର୍ନୀତି ଓ ଅନିୟମିତତାକୁ ସାମ୍ନାକୁ ଆଣିିଥିଲା। ତିନି ଜଣ ଭାରତୀୟ ଅଡିଟ ଏବଂ ଆକାଉଣ୍ଟସ ସେବା ଅଧିକାରୀଙ୍କ ବଦଳି ଏବେ ଚିନ୍ତାର ବିଷୟ ହୋଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଦ୍ୱାରକା ଏକ୍ସପ୍ରେସୱେ ପ୍ରକଳ୍ପ ଏବଂ ଆୟୁଷ୍ମାନ ଭାରତରେ ହୋଇଥିବା ଦୁର୍ନୀତିର ଅଡିଟ ଦାୟିତ୍ୱରେ ଥିଲେ। ଆୟୁଷ୍ମାନ ଭାରତ ଅଡିଟ ଆରମ୍ଭ କରିଥିବା ଅନ୍ୟ ଜଣେ ଅଧିକାରୀଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି। ଭିତ୍ତିଭୂମି ପାଇଁ ଅଡ଼ିଟର ପ୍ରମୁଖ ନିର୍ଦ୍ଦେଶକ ଅତୁର୍ଭ ସିହ୍ନା ରାଜପଥ ପ୍ରକଳ୍ପର ସିଏଜି ରିପୋର୍ଟ ଉପରେ ସମୀକ୍ଷା ପରେ ତାଙ୍କ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଦ୍ୱାରକା ଏକ୍ସପ୍ରେସୱେ ପ୍ରକଳ୍ପରେ ଅନିୟମିତତା ଏବଂ ଅତ୍ୟଧିକ ଖର୍ଚ୍ଚ ହୋଇଥିବା ସେ ଦର୍ଶାଇଥିଲେ। ଏହି ବଦଳିର ସମୟ ଏବଂ ପରିସ୍ଥିତି ସହ ରିପୋର୍ଟଗୁଡିକର ସମ୍ବେଦନଶୀଳତା ଅଡିଟ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛି। ୟୁପିଏ ସରକାର ସମୟରେ ବହୁଚର୍ଚ୍ଚିତ ୨ଜି ଏବଂ କୋଇଲା ବ୍ଲକ ଆବଣ୍ଟନ ସ୍କାମ୍‌ ଉପରେ ସିଏଜିଙ୍କ ରିପୋର୍ଟ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ କହିଛନ୍ତି ଯେ, ବଦଳି ଏବଂ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ପ୍ରଶାସନିକ ବିଷୟ, କିନ୍ତୁ ଅଡିଟ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ।

ଆର୍‌ଟିଆଇରେ ସମସ୍ୟା

୧୮ ବର୍ଷ ପୂର୍ବେ କାର୍ଯ୍ୟକାରୀ ହୋଇଥିବା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଏକଦା ସରକାରୀ ସଂସ୍ଥାଠାରୁ ସୂଚନା ପାଇବା ପାଇଁ ନାଗରିକମାନଙ୍କୁ ସଶକ୍ତ କରୁଥିବା କୁହାଯାଉଥିଲା। ହେଲେ ସାମ୍ପ୍ରତିକ ତଥ୍ୟରୁ ଜଣାପଡ଼ିଛି ଯେ ଆର୍‌ଟିଆଇ ଅଧିନିୟମ ଅନୁଯାୟୀ ଆବେଦନ ଏବଂ ଅଭିଯୋଗ ଉପରେ ଅନେକ କାର୍ଯ୍ୟ କରିବାକୁ ବାକିରହିିଛି, ଯାହା ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ପ୍ରତି ପ୍ରତିବନ୍ଧକ ସୃଷ୍ଟିକରିଛି। ଚଳିତ ବର୍ଷ ଜୁନ୍‌ରେ ଦେଶରେ ୨୭ଟି ସୂଚନା ଆୟୋଗରେ ୩.୨ ଲକ୍ଷ ଆବେଦନ ଏବଂ ଅଭିଯୋଗ ସମାଧାନ ହୋଇପାରି ନାହିଁ। ଏହା ନ ହେବାର ମୁଖ୍ୟ କାରଣ ହେଉଛି କେନ୍ଦ୍ର ସରକାର ଠିକ୍‌ ସମୟରେ କେନ୍ଦ୍ର ସୂଚନା କମିଶନ(ସିଆଇସି)ରେ ସୂଚନା କମିଶନରଙ୍କୁ କିମ୍ବା ରାଜ୍ୟ ସରକାର ରାଜ୍ୟ ସୂଚନା କମିଶନର(ଆଇସିଏସ୍‌)ଙ୍କୁ ନିଯୁକ୍ତ କରିବାକୁ ପଦକ୍ଷେପ ନେବାରେ ବିଫଳତା। ଏକ ଅଧ୍ୟୟନରୁ ଜଣାପଡିଛି, ସିଆଇସି ସମେତ ୬ଟି କମିଶନ ଏବଂ ମଣିପୁର, ଛତିଶଗଡ଼, ମହାରାଷ୍ଟ୍ର, ବିହାରରେ ଆଇସିଏସ୍‌ ଏବେ କେହି ନାହାନ୍ତି। ୭ଟି ପଦବୀ ଖାଲି ଥିଲେ ମଧ୍ୟ ସିଆଇସି କେବଳ ୪ କମିଶନରଙ୍କୁ ନେଇ କାର୍ଯ୍ୟକରୁଛି। ବାସ୍ତବରେ ମୁଖ୍ୟ ସୂଚନା କମିଶନର ଓ୍ବାଇ.କେ. ସିହ୍ନାଙ୍କ କାର୍ଯ୍ୟକାଳ ଏହି ମାସ ଆରମ୍ଭରେ ଶେଷ ହୋଇଛି। ସିହ୍ନା ତାଙ୍କ କାର୍ଯ୍ୟକାଳ ମଧ୍ୟରେ କମିଶନଙ୍କ ନିକଟରେ ବିଚାରାଧୀନ ମାମଲା ସଂଖ୍ୟାକୁ ୫୦ ପ୍ରତିଶତରୁ ଅଧିକ ହ୍ରାସ କରିବାରେ ସଫଳ ହୋଇଥିଲେ। ତେବେ କାର୍ଯ୍ୟରତ କମିଶନରମାନେ ପଦବୀ ଛାଡ଼ିବା ପରେ କୌଣସି ନୂତନ କମିଶନର ନିଯୁକ୍ତ ହୋଇ ନ ଥିବାରୁ ଝାଡ଼ଖଣ୍ଡ, ତେଲଙ୍ଗାନା, ମିଜୋରାମ ଏବଂ ତ୍ରିପୁରାର ୪ କମିଶନ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଯଦି ଏହି ଜଟିଳ ସମସ୍ୟାର ସମାଧାନ ନ ହୁଏ, ତେବେ ଭାରତରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱର ଯୁଗ ଶେଷ ହୋଇପାରେ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com