ମଧ୍ୟପ୍ରଦେଶର ପ୍ରଶାସନିକ କ୍ଷେତ୍ରରେ ପରିବର୍ତ୍ତନର ହାଓ୍ବା ବହୁଛି। ନୂତନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଅଧିକାରୀମାନଙ୍କୁ କୋର୍ ଟିମ୍ରେ ଏକତ୍ର କରିବାକୁ ତ୍ୱରିତ ପଦକ୍ଷେପ ନେଉଛନ୍ତି। ଯାଦବଙ୍କ ସକ୍ରିୟ ଆଭିମୁଖ୍ୟ ରାଜ୍ୟର ଶାସନ ବ୍ୟବସ୍ଥାର ପରିବର୍ତ୍ତନକୁ ସୂଚାଉଛି ଏବଂ ଏହା ନିଃସନ୍ଦେହ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପଛରେ ପକାଇବା ଲାଗି ସେ କେନ୍ଦ୍ର ସହ ଆଲୋଚନା କରୁଛନ୍ତି। କିଛି ସପ୍ତାହ ହେଲା ଆମେ ଏକ ନିର୍ଦ୍ଦିଷ୍ଟ ପ୍ରକାର ନିଯୁକ୍ତି ଓ ପୁନଃ ଆବଣ୍ଟନ ପ୍ରକ୍ରିୟା ଦେଖିବାକୁ ପାଉଛୁ। ବିଶେଷକରି ଚୌହାନଙ୍କ ଶାସନ ପାଳିରେ କାର୍ଯ୍ୟରତ ବରିଷ୍ଠ ବାବୁମାନଙ୍କୁ ଏଡ଼ାଇଯାଇ ନୂଆ ଅଧିକାରୀ ଓ ନୂଆ ଆଭିମୁଖ୍ୟ ନେଇ ନିଯୁକ୍ତି କରିବାରେ ଲାଗିଛନ୍ତି ଯାଦବ । ଲୋକ ସମ୍ପର୍କ କମିଶନର ଭାବରେ ସନ୍ଦୀପ ଯାଦବଙ୍କ ନିଯୁକ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ମୁଖ୍ୟ ଭାବେ ସମୀର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ଦୃଢ଼ତା ଏବଂ ଦକ୍ଷତା ଦର୍ଶାଇବାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟକୁ ପରିପ୍ରକାଶ କରିଛି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରମୁଖ ଶାସନ ସଚିବ ଭାବରେ ରଘୁଭେନ୍ଦ୍ର ସିଂଙ୍କ ପଦୋନ୍ନତି ନୂତନତ୍ୱ ସହିତ ଅଭିଜ୍ଞତା ମିଶ୍ରଣର ଏକ ରଣନୀତିକ ପଦକ୍ଷେପକୁ ପ୍ରତିଫଳିତ କରିଛି। ନୂତନ ଟିମ୍ରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି- ଭରତ ତାଦବ, ଅବିନାଶ ଲାଭାନିଆ, ଚନ୍ଦ୍ରଶେଖର ଓ୍ବାଲିମ୍ବେ, ଆଦିତ୍ୟ ଗର୍ଗ ଏବଂ ଅନସୁଲ ଗୁପ୍ତା। ସୂତ୍ରରୁ ପ୍ରକାଶ, ନିକଟରେ ପୋଲିସ ମହାନିର୍ଦ୍ଦେଶକ ସୁଧୀର ସକ୍ସେନାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଆଇପିଏସ୍ ଅଧିକାରୀଙ୍କ ପୁନର୍ଗଠନର ସଂକେତ ଦେଇଛି ।
ଅଭିବୃଦ୍ଧି ମଡେଲ୍ର ବାସ୍ତବତା
ସମସ୍ତେ ଜାଣନ୍ତି ଯେ ଅର୍ଥ ବ୍ୟବସ୍ଥା ଉପରେ ହ୍ବାଇଟ୍ ପେପର ଓ ବ୍ଲାକ୍ ପେପରଗୁଡ଼ିକ ପ୍ରାୟତଃ ସାଂଖିକ ତଥ୍ୟଭିତ୍ତିକ ରାଜନୀତିକ ଅସ୍ତ୍ର ହୋଇଥାଏ। ତଥାପି ଏ ସବୁୁ ପାଇଁ ଏବେ ଉଭୟ ପୂର୍ବତନ ଏବଂ କାର୍ଯ୍ୟରତ ଅମଲାତନ୍ତ୍ରୀମାନେ ନୂତନ ସୂତ୍ର ବାହାର କରିବାକୁ କଠିନ ସଂଘର୍ଷ କରୁଛନ୍ତି, ଯାହା ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ କରାଯାଇଥିବା ନୀତିଗତ ପଦକ୍ଷେପକୁ ଯଥାର୍ଥ କରିପାରିବ। ଏହି ସଂଘର୍ଷ ମଧ୍ୟରେ ତାମିଲନାଡୁର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନର ଡିଏମ୍କେ ଆଇଟି ମନ୍ତ୍ରୀ ପି.ଥିଆଗା ରାଜନଙ୍କଠାରୁ ଏକ ଅତ୍ୟଧିକ ଶିକ୍ଷଣୀୟ ତଥା ପାଣ୍ଡିତ୍ୟପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା। ଏଥିପାଇଁ କେତେଜଣ ଲୋକ ତାଙ୍କୁ ଆର୍ଥିକ ରାଜନେତା କହି ପ୍ରଶଂସା କରିଥିଲେ। ଆର୍ଥିକ ଅଭିବୃଦ୍ଧି ଓ ଏ ସମ୍ପର୍କିତ ଲାଭକୁ ବିଚାରକଲେ ଯେକୌଣସି ଜାତୀୟ ମଡେଲ ବିଶେଷକରି ବର୍ତ୍ତମାନର ଉତ୍ତରପ୍ରଦେଶ ମଡେଲଠାରୁ କିଭଳି ଦ୍ରାବିଡିଆନ ମଡେଲ ଅଧିକ ଭଲ ତାହା ଦର୍ଶାଇବାକୁ ସକ୍ଷମ ହୋଇଥିଲେ। ରାଜନଙ୍କ ଯୁକ୍ତିି ଯେ ୟୁପି ମଡେଲ ବାସ୍ତବତା ଅପେକ୍ଷା ଅଧିକ ଭ୍ରମାମତ୍କ। ସେ ତଥ୍ୟ ଦର୍ଶାଇଥିଲେ ଯେ ତାମିଲନାଡୁର ତ୍ୱରିତ ଅଭିବୃଦ୍ଧି ହାର ପ୍ରତିବର୍ଷ ତୁଳନାରେ ୨ ପ୍ରତିଶତ ଅଧିକ ହୋଇଚାଲିଛି। ତେବେ ତାମିଲନାଡୁର ଏହି ଅଭିବୃଦ୍ଧି ପ୍ରତିଶତକୁ ଛୁଇଁବାକୁ ହେଲେ ଉତ୍ତରପ୍ରଦେଶର ମୁଣ୍ଡ ପିଛା ମୋଟ ରାଜ୍ୟ ଘରୋଇ ଉପତ୍ାଦ(ଏସ୍ଡିପି)କୁ ୬୪ ବର୍ଷ ଲାଗିବ! କିନ୍ତୁ ଯେହେତୁ ଆଗକୁ ନିର୍ବାଚନ ହେବାକୁ ଯାଉଛି କେନ୍ଦ୍ରର ବାବୁମାନଙ୍କ ପାଇଁ ୟୁପି ସଫଳତାର ବିଷୟ ଏକ ଭଲ କାହାଣୀ ହୋଇଛି।
ନିଯୁକ୍ତିରେ ସମସ୍ୟା
କର୍ନାଟକରେ ୬ଟି ସୂଚନା କମିଶନର ପଦବୀ ପାଇଁ ଆବେଦନ କରିଥିବା ୩୭୦ ଜଣଙ୍କ ମଧ୍ୟରେ ଅଛନ୍ତି କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ, ଅବସରପ୍ରାପ୍ତ ଆଇପିଏସ୍ ଏବଂ ଆଇଏଫ୍ଏସ୍ ଅଧିକାରୀ, ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଜିଲା ଜଜ୍ ଓ ଅଧିକାରୀମାନେ। ନଭେମ୍ବରରେ ସୂଚନା କମିଶନରଙ୍କ ୬ଟି ପଦବୀ ପୂରଣ କରିବାକୁ ସରକାର ବିଜ୍ଞପ୍ତି ଜାରି କରିଥିଲେ। ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ଆଇଏଏସ୍ ଅଧିକାରୀ ମମତା ବି. ଆର୍ . ଏବଂ ରିଚାର୍ଡ ଭିନ୍ସେଣ୍ଟ ଡି’ସୁଜା ଏବଂ ଅବସରପ୍ରାପ୍ତ ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍ ଅଧିକାରୀ ଏ.ବି.ଇବ୍ରାହିମ, ବି.ବାଲଗୋପାଳ, ଆଲାପ୍ପା ଆର୍, ଏମ୍.ଜି. ହିରେମାଥ, ଅସିତ ମୋହନ ପ୍ରସାଦ, କେ.ଟି.ବାଲାକ୍ରିଷ୍ଣା, ଏମ୍.ଭି .ଅମରନାଥ ଏବଂ ରାଜୀବ ରଞ୍ଜନ। ଏହି ତାଲିକାରେ ଅଛନ୍ତି ୪ଜଣ ଜିଲା ବିଚାରପତି ଓ ୩୦ରୁ ଅଧିକ ଅବସରପ୍ରାପ୍ତ ଅଧିକାରୀ,ଯେଉଁମାନେ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭକରି ଯୁଗ୍ମ ସଚିବ ଏବଂ ଫାଷ୍ଟ ଡିଭିଜନ ଆସିଷ୍ଟାଣ୍ଟ ଯାଏ ପଦବୀରେ କାର୍ଯ୍ୟ କରିଥିଲେ। ତେବେ ଏକ ବିବାଦୀୟ ପ୍ରସଙ୍ଗ ରହିଛି ଯାହାକି ବର୍ଷ ବର୍ଷ ଧରି ଏହିପରି ନିଯୁକ୍ତିରେ ସମସ୍ୟା ସୃଷ୍ଟି କରିଛି। ଯୋଗ୍ୟତା ଆଧାରିତ ବ୍ୟବସ୍ଥା ଉପରେ ରାଜନୈତିକ ସମ୍ପୃକ୍ତିର ପ୍ରଭାବ ବି ରହିଛି। ଆର୍ଟିଆଇ ଜରିଆରେ ଅନେକ ବିଭାଗରେ ତ୍ରୁଟି ସାମ୍ନାକୁ ଆଣିଥିବା ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି, ଚୟନ ସମୟରେ ମୌଳିକ ନୀତିକୁ ଲଗାତର ଭାବେ ସରକାରଗୁଡ଼ିକ ଅବହେଳା କରିଆସିଛନ୍ତି। ଅନେକ କ୍ଷେତ୍ରରେ ସନ୍ଦେହଜନକ ରେକର୍ଡ ଥିବା ବ୍ୟକ୍ତିବିଶେଷଙ୍କୁ ଏପରି ପଦବୀରେ ନିଯୁକ୍ତ କରାଯାଇଛି, ଯାହା ସ୍ବଚ୍ଛତାର ମହତ୍ତ୍ୱକୁ ଦୁର୍ବଳ କରିଦେବା ସହ ଅନୁଷ୍ଠାନଗୁଡ଼ିକ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ନଷ୍ଟ କରିଦେଇଛି।
Email: dilipcherian@gmail.com