Categories: ଜାତୀୟ

ମୁସଲିମ ବିବାହ, ତଲାକ ଆଇନକୁ ରଦ୍ଦ କରି ମୁଖ୍ୟମନ୍ତ୍ରୀ କହିଲେ ଏହାଦ୍ୱାରା କମିବ ବାଲ୍ୟ ବିବାହ

ଗୁଆହାଟୀ,୨୪।୨: ରାଜ୍ୟରେ ବାଲ୍ୟ ବିବାହ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆସାମ ସରକାର ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜୀକରଣ ଆଇନ, ୧୯୩୫ ରଦ୍ଦ କରିଦେଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏକ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଲେଖିଛନ୍ତି ଯେ ‘ଫେବୃଆରୀ ୨୩ ରେ ଆସାମ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ବର୍ଷ ବର୍ଷ ପୁରୁଣା ଆସାମ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜୀକରଣ ଆଇନକୁ ପ୍ରତ୍ୟାହାର କରିନେଇଛି। ଏହି ଆଇନରେ କିଛି ବ୍ୟବସ୍ଥା ଥିଲା ଯେ ଯଦିଓ କନ୍ୟା ଏବଂ ବର ବିବାହ ପାଇଁ ଆଇନଗତ ବୟସ ହୋଇନଥାନ୍ତେ ଯଥା ଝିଅମାନଙ୍କ ପାଇଁ ୧୮ ବର୍ଷ ଏବଂ ପୁଅମାନଙ୍କ ପାଇଁ ୨୧ ବର୍ଷ, ବିବାହ ପଞ୍ଜିକୃତ ହୋଇପାରେ। ଆସାମରେ ବାଲ୍ୟ ବିବାହ ବନ୍ଦ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଆସାମ ସରକାର କହିଛନ୍ତି ଯେ ମୁସଲିମ ବିବାହ ଏବଂ ଛାଡପତ୍ର ପଞ୍ଜୀକରଣ ଆଇନ ରଦ୍ଦ ହେବା ପରେ ମୁସଲିମ ବିବାହ ପଞ୍ଜୀକରଣ ଜିଲା କମିସନର ତଥା ଜିଲା ରେଜିଷ୍ଟ୍ରାରଙ୍କ ଦ୍ୱାରା ମଧ୍ୟ ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ କରାଯିବ, ଯାହା ପୂର୍ବରୁ ୯୪ମୁସଲମାନ ବିବାହ ରେଜିଷ୍ଟ୍ରାରଙ୍କ ଦ୍ୱାରା କରାଯାଇଥିଲା। ମୁସଲିମ ବିବାହ ପଞ୍ଜିକରଣ କରୁଥିବା ରେଜିଷ୍ଟ୍ରାରଙ୍କୁ ହଟାଇ ଦିଆଯିବ ଏବଂ ସେମାନଙ୍କୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏହି ଆଇନଗୁଡିକ ବ୍ରିଟିଶ ଶାସନ ଯୁଗରୁ ଆସିଛି ବୋଲି ଆସାମ ସରକାର ଯୁକ୍ତି ବାଢିଛନ୍ତି।

Share