ବଦଳିଲେ ବିଏମ୍‌ସି କମିଶନର, କାହାକୁ ନୂଆ ନିଯୁକ୍ତି ମିଳିଛି ଜାଣନ୍ତୁ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ବଦଳିଛନ୍ତି। ବିଏମ୍‌ସି କମିଶନର ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରି ଦିଆଯାଇଛି। ତାଙ୍କ ସ୍ଥାନରେ ସଞ୍ଜୟ କୁମାର ସିଂହଙ୍କୁ ବିଏମ୍‌ସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସିଂହ ୧୯୯୭ ବ୍ୟାଚର ଆଇଏଏସ ଅଫିସର।
ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଥିବା ସଞ୍ଜୟ କୁମାର ସିଂହଙ୍କୁ ବିଏମ୍‌ସି କମିଶନର ଦାୟିତ୍ୱ ସହିତ ବିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଏଥିସହ ତାଙ୍କୁ ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।
ଅନ୍ୟପକ୍ଷରେ ୨୦୧୦ ବ୍ୟାଚର ଆଇଏଏସ ଅଫିସର ପ୍ରେମଚାନ୍ଦ ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ (ଜିଏ) ବିଭାଗର ଓଏସ୍‌ଡି ଭାବେ ନୂଆ ନିଯୁକ୍ତି ମିଳିଛି। ସଞ୍ଜୟ କୁମାର ସିଂହଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଥିବା ୧୯୯୫ ବ୍ୟାଚର ଆଇଏଏସ ଅଫିସର ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ସହିତ ଏହି ବିଭାଗର ଅତିରିକ୍ତ ଦାୟିତ୍ୱରେ ସଞ୍ଜୟ କୁମାର ସିଂହ ରହିଥିଲେ। ସେହିପରି ସେ ଇଡ୍‌କୋର ସିଏମ୍‌ଡି ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।

ନୂଆ ନିର୍ଦ୍ଦେଶନାମା ଅନୁସାରେ ଏବେ ପୂର୍ତ୍ତ ବିଭାଗ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଇଡ୍‌କୋର ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

Share