Advertisement

ରେପୋ ହାର ହ୍ରାସ ସମ୍ଭାବନା

ଭୁବନେଶ୍ୱର,୪ା୨(ଅନୁରାଧା ମହାରଣା): ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ର ନୂତନ ମୁଦ୍ରା ନୀତି କମିଟି (ଏମପିସି) ବୈଠକ ଫେବୃଆରୀ ୪ରୁ ୭ ଯାଏଁ ଅନୁଷ୍ଠିତ ହେବ। ଏଥିରେ ଆରବିଆଇ ଗଭର୍ନର ସଞ୍ଜୟ ମଲହୋତ୍ରା ଅଧ୍ୟକ୍ଷତା କରିବେ। ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ, ଏହି ବୈଠକରେ ରେପୋ ହାର ୨୫ ଆଧାର ପଏଣ୍ଟ (ବିପିଏସ) ହ୍ରାସ ହୋଇପାରେ, ଯାହା ଏହାକୁ ୬.୫% ରୁ ୬.୨୫% କୁ ହ୍ରାସ କରିବ। ଫେବୃଆରୀ ୭ରେ ସୁଧ ହାର ଉପରେ ଏମ୍‌ପିସି ନିଷ୍ପତ୍ତି ଘୋଷଣା କରିବ। ଯଦିଓ ମୁଦ୍ରାସ୍ଫୀତି ୪% ର ଆରବିଆଇ ଲକ୍ଷ୍ୟଠାରୁ ଅଧିକ ରହିଛି, ଅର୍ଥନୈତିକ ମନ୍ଥରତା ଦୃଷ୍ଟିରୁ ଏହି ହାର ହ୍ରାସ ହେବାର ସମ୍ଭାବନା ଅଧିକ ଦୃଢ଼ୀଭୂତ ହୋଇଛି। ଗତ ସପ୍ତାହରେ ଆରବିଆଇ ବ୍ୟାଙ୍କିଙ୍ଗ ସିଷ୍ଟମରେ ୧.୫ ଲକ୍ଷ କୋଟିର ଲିକ୍ୱିଡିଟି ଅର୍ନ୍ତଭୁକ୍ତ କରିବାକୁ ଘୋଷଣା କରିଥିଲା। ଏହାପୂର୍ବରୁ ଡିସେମ୍ବର ମାସରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ସିଷ୍ଟମରେ ୧୬ ୧.୧୬ ଲକ୍ଷ କୋଟି ଲିକ୍ୱିଡିଟି ଅର୍ନ୍ତଭୁକ୍ତ କରିଥିଲା। ଯେତେବେଳେ କ୍ୟାସ ରିଜର୍ଭ ଅନୁପାତ (ସିଆରଆର) ୫୦ ବିପିଏସ କଟାଯାଇଥିଲା।
ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଫେବୃଆରୀ ବୈଠକରେ ରେପୋ ହାର ହ୍ରାସ ହୁଏ, ତେବେ ଏହା ଚାହିଦାକୁ ଦୃଢ଼ କରିବାରେ ସାହାଯ୍ୟ କରିବ। ବିଶେଷକରି ଯେତେବେଳେ ସରକାର କରଦାତାମାନଙ୍କୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ପ୍ରଦାନ କରିଛନ୍ତି। କମ ସୁଧ ହାର ଋଣକୁ ଶସ୍ତା କରିବ, ଯାହା ଉଭୟ ବ୍ୟବହାର ଏବଂ ବିନିଯୋଗକୁ ବୃଦ୍ଧି କରିବ। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୪% ହେବ ବୋଲି ଆକଳନ କରାଯାଇଛି, ଯାହା ଗତ ୪ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ହେବ। ଏହାପୂର୍ବରୁ ଡିସେମ୍ବର ମାସରେ ଆରବିଆଇ ଜିଡିପି ଅଭିବୃଦ୍ଧି ଆକଳନକୁ ୭.୨% ରୁ ୬.୬% କୁ ହ୍ରାସ କରିଥିଲା। ବିଶେଷଜ୍ଞଙ୍କ ମତାନୁସାରେ, ଫେବୃଆରୀ ପରେ, ଏପ୍ରିଲ କିମ୍ବା ଜୁଲାଇରେ ମଧ୍ୟ ୨୫-୫୦ ବିପିଏସ ହ୍ରାସ ହୋଇପାରେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share