ଭଦ୍ରକ ଅଫିସ/ ପୁରୁଷୋତ୍ତମପୁର (ଡି.ଏନ.ଏ.), ୨୩।୧୧: ଖବରଦାତା ବିଭୁ ପ୍ରସାଦ ବେହେରା(୪୪)ଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଛି। ସେ ଗତ ଦୁଇବର୍ଷ ଧରି କିଡ୍ନୀ ରୋଗରେ ପୀଡ଼ିତ ଥିଲେ। ରବିବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଦୀର୍ଘବର୍ଷ ଧରି ଧରିତ୍ରୀ ଖବରକାଗଜରେ ଭଦ୍ରକ ଜିଲା ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ। ଏବେ ସେ ରାଜ୍ୟ କାହାଣୀ ନାମକ ସାପ୍ତାହିକରେ ଖବରଦାତା ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଭୁବନେଶ୍ୱରରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ସେହିପରି ଭଦ୍ରକର ବହୁ ଖବରଦାତା ଓ କ୍ୟାମେରାମ୍ୟାନ ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ମରଶରୀରକୁ ଜନ୍ମମାଟି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ଗୋବିନ୍ଦପୁରସ୍ଥିତ ବାସଭବନକୁ ନିଆଯାଇଥିଲା। ଅପରାହ୍ନରେ ଋଷିକୁଲ୍ୟା ନଦୀପଠାରେ ଅନ୍ତିମ ସଂସ୍କାର କରାଯାଇଥିଲା। ସେଠାରେ ମୃତ ଖବରଦାତା ବିଭୁଙ୍କ ସ୍ତ୍ରୀ ସାବିତ୍ରୀ, ଝିଅ ଶ୍ରଦ୍ଧାଞ୍ଜଳି, ପୁଅ ପ୍ରଭୁ ପ୍ରସାଦଙ୍କ ସମେତ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ।