ଖବରଦାତା ଜୟଗୋପାଳଙ୍କ ପରଲୋକ

ବଇଣ୍ଡା,୧୯।୧ (ଡି.ଏନ.ଏ.): ‘ଧରିତ୍ରୀ’ର ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଖବରଦାତା ଜୟଗୋପାଳ ଷଡ଼ଙ୍ଗୀ (୫୯)ଙ୍କ ମଙ୍ଗଳବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ସକାଳେ ଦେହ ଅସୁସ୍ଥ ଲାଗିବାରୁ ପରିବାର ଲୋକେ ତାଙ୍କୁ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ। ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ୧୮ ଅଗଷ୍ଟ ୧୯୬୩ରେ ଜନ୍ମିତ ଷଡ଼ଙ୍ଗୀ ଗ୍ରାଜୁଏଶନ ପରେ ୧୯୮୯ରୁ ଖବରଦାତା ଜୀବନ ଆରମ୍ଭ କରିଥିଲେ। ୧୯୯୨ରେ ସେ ଆଠମଲ୍ଲିକ ବ୍ଲକ କଂଗ୍ରେସର ଯୁବ ସଭାପତି ଭାବେ କାର୍ଯ୍ୟ କରିଥିଲେ। ୨୦୧୩ ମସିହାରେ ସେ ‘ଧରିତ୍ରୀ’ ପରିବାରରେ ଯୋଗଦେଇଥିଲେ। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହ ତାଙ୍କର ସମ୍ପୃକ୍ତି ଥିଲା। ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମଗୁଡ଼ିକରେ ସେ ଭଜନ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହେଉଥିଲେ। ପରଲୋକ ସମୟରେ ସ୍ତ୍ରୀ ଜ୍ୟୋତିର୍ମୟୀ, ପୁଅ ଅବିନାଶ, ଅଙ୍କିତ, ସୋମାନ୍ସ ଓ ଶ୍ରୀୟାନ୍ସ ଉପସ୍ଥିତ ଥିଲେ। ଜୟଗୋପାଳଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଆଠମଲ୍ଲିକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସାମାଜିକ କର୍ମୀ ଅର୍ଜୁନ ସାହୁ, ଆଠମଲ୍ଲିକ ଉପଜିଲାପାଳ ଲଳିତମୋହନ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ସହରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ଭାଜପା ନେତା ଭାଗୀରଥି ପ୍ରଧାନ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି। ବଇଣ୍ଡା ଖବରଦାତା ପରିକ୍ଷିତ ସାହୁ, ଛେଣ୍ଡିପଦା ଖବରଦାତା ଅଜିତ ଧଳ, ମାଧପୁର ଖବରଦାତା ମନୋଜ ପ୍ରଧାନଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।