ଥାନା ସମ୍ମୁଖରେ ଧାରଣାରେ ବସିଲେ ଖବରଦାତା

ମାଲକାନଗିରି,୧୯ା୧୨(ଡି.ଏନ୍‌.ଏ.): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବାକୁ ଉଦ୍ୟମ କରୁଛି ମାଲକାନଗିରି ପୋଲିସ। ବିନା କାରଣରେ ୫ ଜଣ ଖବରଦାତାଙ୍କୁ ଉଠାଇ ନେଇ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଖବରଦାତାମାନେ ଦେଇଥିବା ଏତଲା ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପୋଲିସର ଏପରି ପାତରଅନ୍ତର ନୀତିର ସମାଲୋଚନା କରି ରବିବାର ମାଲକାନଗିରି ଜିଲାର ଖବରଦାତାମାନେ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଏପରି ଘଟଣା ଘଟିଛି।

ମାଲକାନଗିରି ଜିଲା ଅଧୀନ କୋରୁକୋଣ୍ଡା ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗତ ୧୬ ତାରିଖ ବିଳମ୍ବିତ ରାତିରେ ଖବର ସଂଗ୍ରହ ପାଇଁ ବୈଦ୍ୟୁତିକ ଗଣମାଧ୍ୟମର କିଛି ପ୍ରତିନିଧି ଯାଇଥିଲେ। ଏହି ସମୟରେ ତାଙ୍କୁ ଦେଖି ସ୍ବାସ୍ଥ୍ୟକେନ୍ଦ୍ରର ୩ ଜଣ ଡାକ୍ତର ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏପରି କି ସ୍ବାସ୍ଥ୍ୟ କେନ୍ଦ୍ରର ସମ୍ପୃକ୍ତ ଡାକ୍ତର ମାଲକାନଗିରି ଥାନାରେ ୫ ଜଣ ଖବରଦାତା ଗୁରୁବାର ବିଳମ୍ବିତ ରାତିରେ ସ୍ବାସ୍ଥ୍ୟକେନ୍ଦ୍ରରେ ଜୋର ଜବରଦସ୍ତ ପଶି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏତଲାରେ ଦୁଇଟି ଗଣମାଧ୍ୟମ ସଂସ୍ଥାର ୨ଜଣ ପ୍ରତିନିଧିଙ୍କ ନାମ ଉଲ୍ଲେଖ ଥିବା ବେଳେ ଅନ୍ୟ ୩ଜଣଙ୍କ ନାମ ଉଲ୍ଲେଖ ହୋଇ ନ ଥିଲା।

ମାଲକାନଗିରି ପୋଲିସ ୧୭ ତାରିଖ ରାତି ପ୍ରାୟ ୧ଟାରେ ଖବର ପ୍ରସାରଣ କରିଥିବା ବୈଦ୍ୟୁତିକ ଗଣମାଧ୍ୟମର ୨ଜଣ ପ୍ରତିନିଧି ଏବଂ ଅଭିଯୋଗରେ ନାମ ନ ଥିବା ଗଣମାଧ୍ୟମର ୩ଜଣ ପ୍ରତିନିଧି ଏପରି ମୋଟ ୫ଜଣଙ୍କୁ ଘରୁ ଉଠାଇ ନେଇଥିଲା। ସେମାନଙ୍କୁ ଗାଳିଗୁଲଜ କରି ମାଲକାନଗିରି ଥାନାକୁ ଆଣି ରାତିସାରା ଅଟକ ରଖିଥିଲା। ଅନ୍ୟପକ୍ଷରେ ସମ୍ପୃକ୍ତ ୫ ଖବରଦାତା ସମ୍ପୃକ୍ତ ୩ ଡାକ୍ତରଙ୍କ ନାମରେ ଥାନାରେ ପାଲଟା ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଅଭିଯୋଗ ହୋଇଛି। ପୋଲିସର ଏପରି ପାତରଅନ୍ତର ନୀତିକୁ ମାଲକାନଗିରି ସାମ୍ବାଦିକ ସଂଘ, ଉତ୍କଳ ସାମ୍ବାଦିକ ସଂଘ, ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଇଛି। ଏହାର ପ୍ରତିବାଦରେ ଜିଲାର ସମସ୍ତ ଖବରଦାତା ଥାନା ସମ୍ମୁଖରେ ଧାରଣା ଦେବା ସହ ସମ୍ପୃକ୍ତ ୩ ଡାକ୍ତରଙ୍କୁ ଗିରଫ ଦାବି କରିଛନ୍ତି।

 

 

Share