ପାକିସ୍ତାନରେ ଖବରଦାତା ନିର୍ଯାତିତ…

ଇସଲାମାବାଦ,୨୩।୫ : ପାକିସ୍ତାନରେ ଖବରଦାତାଙ୍କ ଅବସ୍ଥା ଭଲ ନାହିଁ। ସେମାନେ ନିର୍ଯାତିତ ହେଉଛନ୍ତି! ସେମାନଙ୍କୁ କର୍ତ୍ତୃପକ୍ଷଙ୍କ ଦ୍ୱାରା ହଇରାଣ କରାଯାଉଛି। ଦେଶରେ ଖବରଦାତାଙ୍କ ପ୍ରତି ବିପଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ ସେମାନଙ୍କୁ ଧମକ ଦିଆଯିବା, ଆକ୍ରମଣ କରିବା ଏବଂ ଗୁଳି ଚଳାଇବା ଖବର ଅଧିକ ଘଟୁଛି। ଲାହୋରର ପ୍ରେସ କ୍ଲବର ଅଧ୍ୟକ୍ଷ ଆଜମ ଚୌଧରୀ କହିଛନ୍ତି ଲାହୋରରେ ୨୦୦ରୁ ଅଧିକ ପାକିସ୍ତାନୀ ଖବରଦାତା ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ନିର୍ଯାତନା ତଥା ଗିରଫଦାରୀର ସମ୍ମୁଖୀନ ହେଉଛନ୍ତି। କେବଳ ଏତିକି ନୁହେଁ, ଗିରଫ ହୋଇଥିବା ଖବରଦାତାମାନଙ୍କ ମଧ୍ୟରୁ କେତେକଙ୍କୁ କଠୋର ନିର୍ଯାତନା ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି।

ଖବରଦତାମାନଙ୍କ ନାମ ସାମରିକ ପ୍ରତିଷ୍ଠାନ, ପୋଲିସ ଭ୍ୟାନ ଏବଂ ସରକାରୀ ଅଟ୍ଟାଳିକା ଉପରେ ଆକ୍ରମଣରେ ସମ୍ପୃକ୍ତ ଥିବା ’ଆତଙ୍କବାଦୀ ଏବଂ ସନ୍ଦିଗ୍ଧ’ ତାଲିକାରେ ସ୍ଥାନିତ ହୋଇଛି।

ଆଇନ ପ୍ରଣୟନକାରୀ ସଂସ୍ଥା ସମଗ୍ର ଦେଶରେ ପ୍ରାୟ ୮ ହଜାର ଲୋକଙ୍କୁ ଗିରଫ କରିଛନ୍ତି। ସେମାନେ ମୁଖ୍ୟତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର କର୍ମୀ। ମେ ୯ ରେ ଇମ୍ରାନ ଖାନ ଗିରଫ ହେବା ପରେ ଆରମ୍ଭ ହୋଇଥିବା ହିଂସାରେ ଏହି ବ୍ୟକ୍ତିମାନେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଗିରଫ ହୋଇଥିବା ଅଧାରୁ ଅଧିକ ପଞ୍ଜାବ ପ୍ରଦେଶର।

ପଞ୍ଜାବର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ମୋହସିନ ନାକଭି କହିଛନ୍ତି ପଞ୍ଜାବରେ ମେ ୯ରେ ଘଟିଥିବା ଘଟଣାରେ ପଞ୍ଜୀକୃତ ହୋଇଥିବା ୧୩୮ଟି ମାମଲାରେ ୫୦୦ ରୁ ଅଧିକ ମହିଳାଙ୍କୁ ଗିରଫ କରାଯାଇଛି। ମହିଳାମାନଙ୍କ ବିରୋଧରେ ଆତଙ୍କବାଦ ବିରୋଧୀ ଆଇନ (ଏଟିଏ) ଅନୁଯାୟୀ ବିଚାର କରାଯିବ।

Share