Categories: ଜାତୀୟ

କଶ୍ମୀର ଗସ୍ତରେ ୨୪ ଦେଶର ପ୍ରତିନିଧି

ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଚତୁର୍ଥ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ ଏଠାରେ ପହଞ୍ଚିଛନ୍ତି। ଦଳରେ ୨୪ଟି ଦେଶର ପ୍ରତିନିଧି ଅଛନ୍ତି। ଏଥିରେ ଆଫ୍ରିକା, ମଧ୍ୟ-ପୂର୍ବ ଏବଂ ୟୁରୋପୀୟ ଦେଶର ପ୍ରତିନିଧିଙ୍କୁ ସାମିଲ କରାଯାଇଛି। ଚିଲି, ବ୍ରାଜିଲ୍‌, କ୍ୟୁବା, ବଲିଭିଆ, ଇଷ୍ଟୋନିଆ, ଫିନଲାଣ୍ଡ୍‌, ଫ୍ରାନ୍ସ, ଏୟାରଲାଣ୍ଡ୍‌, ନେଦରଲାଣ୍ଡ, ପର୍ତ୍ତୁଗାଲ, ବେଲଜିୟମ୍‌, ସ୍ପେନ୍‌, ସ୍ବିଡେନ୍‌, ଇଟାଲୀ, ବାଂଲାଦେଶ, ମାଲାଓ୍ବି ଆଦି ଦେଶର ପ୍ରତିନିଧି ଏଥିରେ ରହିଛନ୍ତି। ସେହିପରି ଇରିଟ୍ରିୟା, କୋଟେ ଡାଲଭୋଏର, ଘାନା, ସେନେଗାଲ, ମାଲେସିଆ, ତାଜିକିସ୍ତାନ ଏବଂ କିରଗିଜ୍‌ସ୍ତାନର ପ୍ରତିନିଧିଙ୍କୁ ଏହି ଦଳରେ ସାମିଲ କରାଯାଇଛି। ପ୍ରତିନିଧି ଦଳ ଜିଲା ବିକାଶ ପରିଷଦ( ଡିଡିସି)ର ନବ ନିର୍ବାଚିିିତ ସଦସ୍ୟମାନଙ୍କ ସହିତ ଆଲୋଚନା କରିବେ। ଏହାସହିତ କେତେକ ରାଜନୈତିକ ଦଳର ନେତା, ସାମାଜିକକର୍ମୀ, ଗଣମାଧ୍ୟମ ପ୍ରତିନିଧି, ସାଧାରଣ ପ୍ରଶାସନିକ ଅଧିକାରୀ ଏବଂ ସେନା ଯବାନଙ୍କ ସହିତ ସାକ୍ଷାତ୍‌ କରିବେ। ୨୦୧୯ ଅକ୍ଟୋବରରେ ୟୁରୋପୀୟ ଦେଶର ପ୍ରତିନିଧି ଦଳ ସ୍ଥିତି ଅନୁଧ୍ୟାନ ପାଇଁ ପ୍ରଥମେ ଜମ୍ମୁ-କଶ୍ମୀରରେ ପହଞ୍ଚିଥିଲେ। ଏହାପରେ ୨୦୨୦ ଜାନୁୟାରୀ ୯ରେ ୧୬ ବିଦେଶୀ ରାଜନୈତିକ ଏଠାକୁ ଗସ୍ତରେ ଆସିଥିଲେ। ସେହିପରି ୨୦୨୦ ଫେବୃୟାରୀ ୧୨ରେ ୨୫ ଜଣିଆ ପ୍ରତିନିଧି ଦଳ ଗସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Share