Advertisement

ତଟବନ୍ଧ ସୁରକ୍ଷା ନେଇ ଜିଲାପାଳଙ୍କୁ ଭର୍ତ୍ସନା

କେନ୍ଦ୍ରାପଡ଼ା ଅଫିସ, ୧୨ା୧: ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ ରେଳପଥରେ ମହାନଦୀ ଓ ବ୍ରାହ୍ମଣୀ ତଟର ଲଘୁ ଖଣିଜ ସମ୍ପଦ ବିନିଯୋଗ ବିରୋଧରେ ହୋଇଥିବା ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମାମଲାର ଶୁଣାଣୀ ଗତ ୯ ତାରିଖରେ ହୋଇଛି। କେନ୍ଦ୍ରାପଡ଼ା ଜିଲାପାଳ ଗତ ୬ ତାରିଖ ଓ ୨୦୨୨ ସେପ୍ଟେମ୍ବର ୨୨ରେ ପ୍ରଦାନ କରିଥିବା ସତ୍ୟପାଠରେ ସାଟେଲାଇଟ ସର୍ଭିଲାନ୍ସ ସହିତ ସିସିଟିଭି ଲଗାଇବା ସମ୍ପର୍କରେ ନୀରବ ରହିଥିବାରୁ ଜଷ୍ଟିସ ବି. ଅମିତ ସ୍ଥଳେକର ଓ ବିଶେଷଜ୍ଞ ସଭ୍ୟ ପ୍ରଫେସର ଏ. ସେନ୍ଥିଲ ଭେଲ ବିରକ୍ତ ପ୍ରକାଶ କରିଛନ୍ତି। ୨୦୨୧ ନଭେମ୍ବର ୧୮ରେ ପ୍ରଦାନ କରାଯାଇଥିବା ରାୟକୁ ଜିଲାପାଳ ବୁଝି ନ ଥିବା ଅଥବା ଜାଣିଶୁଣି ଏହାକୁ କାର୍ଯ୍ୟକାରୀ କରୁ ନ ଥିବା ଦର୍ଶାଇଛନ୍ତି। ଏଥିସହିତ ଆସନ୍ତା ଫେବୃୟାରୀ ୩ ସୁଦ୍ଧା ନିର୍ଦ୍ଦେଶନାମାକୁ କାର୍ଯ୍ୟାକାରୀ କରିବା ପାଇଁ ସମୟ ଦେଇଛନ୍ତି। ସେହି ନିର୍ଦ୍ଦେଶନାମାରେ ନଦୀତଟର ସୁରକ୍ଷା ପାଇଁ ସାଟେଲାଇଟ ସର୍ଭିଲାନ୍ସ ସହ ଆବଶ୍ୟକ ପଡିଲେ ସିସିଟିଭି ଲଗାଇବାକୁ ଏନ୍‌ଜିଟି ରାୟରେ ଉଲ୍ଲେଖ ଅଛି । ସେହିପରି ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରଦାନ ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହିତ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା, ମାର୍ଶାଘାଇ, ଡେରାବିଶ ଓ କେନ୍ଦ୍ରାପଡ଼ା ତହସିଲ ଅଧୀନରେ ଲଘୁ ଖଣିଜ ସମ୍ପଦ ଲୁଟ୍‌ର କ୍ଷତି ଭରଣା ବାବଦ ୨,୫୫,୧୧,୬୩୨ ଟଙ୍କା ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ କରିବାକୁ ଏହି ରାୟରେ ଉଲ୍ଲେଖ ହୋଇଥିଲା ।

ହରିଦାସପୁର ପାରାଦୀପ ରେଳପଥ ମୋଟ ୮୨ କିଲୋମିଟର ଲମ୍ବ। ଏହାର ନିର୍ମାଣ ସମୟରେ କେନ୍ଦ୍ରାପଡ଼ା ଜିଲାର ୪ ତହସିଲ ଅନ୍ତର୍ଗତ ୪୦ କିଲୋମିଟର ଲମ୍ବର ମହାନଦୀ ଓ ବ୍ରାହ୍ମଣୀ ତଟାଞ୍ଚଳରୁ ବାଲି, ମାଟି ଓ ଗୋଡି ନିର୍ମାଣକାରୀ ସଂସ୍ଥା ରେଳ ବିକାଶ ନିଗମ ଲିମିଟେଡ ଉଠାଇଥିଲେ । ଏହାକୁ ବିରୋଧକରି କେନ୍ଦୁଝରର ଶଶୀଭୂଷଣ ବେହେରା, କେନ୍ଦ୍ରାପଡ଼ା ଜିଲାର ଅଶେଷ କୁମାର ଖଟୁଆ, ଆଳୟ ସାମନ୍ତରାୟ ଓ ପ୍ରତାପ କୁମାର ମହାନ୍ତି ଏନ୍‌ଜିଟିରେ ୨୦୧୮ ଡିସେମ୍ବର ୧୨ରେ ମାମଲା (ନଂ.୫୫/୧୮) କରିଥିଲେ । ଏଥିରେ ରାଜ୍ୟ ସରକାର, କେନ୍ଦ୍ରାପଡ଼ା ଜିଲାପାଳ, ଆରଭିଏନ୍‌ଏଲ୍‌ର ମୁଖ୍ୟ ପ୍ରକଳ୍ପ ପରିଚାଳକଙ୍କ ସମେତ ମୋଟ ୧୨ ପ୍ରତିପକ୍ଷ ଅଛନ୍ତି  ଏନ୍‌ଜିଟିର ଶୁଣାଣୀ ସମୟରେ ବିଭିନ୍ନ ସମୟରେ ଏହି ମାମଲା ପାଇଁ ତଦନ୍ତ ହୋଇଛି । ଏପରିକି ଟ୍ରିବ୍ୟୁନାଲର ନିର୍ଦ୍ଦେଶକ୍ରମେ ରାଉରକେଲାସ୍ଥ ଏନ୍‌ଆଇଟିର ଗୋଟିଏ ଟିମ୍‌ ତଦନ୍ତ କରି ଫେରିଛନ୍ତି। ତଦନ୍ତ ସମୟରେ କେନ୍ଦ୍ରାପଡ଼ା ଜିଲାର ଏହି ୪ ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ଲୁଟ୍‌ ହୋଇଥିବା ନେଇ ରିପୋର୍ଟ ଏନ୍‌ଜିଟିକୁ ଦିଆଯାଇଛି। ରିପୋର୍ଟକୁ ଭିତ୍ତି କରି କେନ୍ଦ୍ରାପଡ଼ା ତହସିଲ ଅଞ୍ଚଳର କ୍ଷତିଭରଣା ପାଇଁ ୫୮,୪୮,୫୭୬ ଟଙ୍କା ଜରିମାନା ଦେବାକୁ ନିର୍ଣ୍ଣୟ ନିଆଯାଇଛି । ସେହିପରି ମାର୍ଶାଘାଇ ତହସିଲ ଅଞ୍ଚଳର କ୍ଷତି ପାଇଁ ୫୯,୨୦,୧୯୫ ଟଙ୍କା, ଡେରାବିଶର ୭୧,୦୬,୮୨୬ ଟଙ୍କା, ମହାକାଳପଡ଼ାର ୬୬,୩୬,୦୩୫ ଟଙ୍କା ଏପରି ମୋଟ ୨,୫୫,୧୧,୬୩୨ ଟଙ୍କା ଭରଣା କରିବାକୁ ନିର୍ଦ୍ଦେଶ ହୋଇଛି । ତେବେ ଏହି କ୍ଷତିଭରଣା ଟଙ୍କାକୁ ନେଇ ଆରଭିଏନ୍‌ଏଲ୍‌ ଉଚ୍ଚ ନ୍ୟାୟାଳୟର ଆଶ୍ରା ନେଇଛି । ଅପରପକ୍ଷେ ନଦୀ ତଟାଞ୍ଚଳରୁ କ୍ରମାଗତ ଖଣିଜ ଲଘୁ ସମ୍ପଦ ଚୋରି ନେଇ ଏନ୍‌ଜିଟି ରାୟରେ ଉଦ୍‌ବେଗ ପ୍ରକାଶ କରାଯାଇଛି । ତଟାଞ୍ଚଳର ସୁରକ୍ଷା ପାଇଁ ଖାଲ ସ୍ଥାନକୁ ପୋତିବା, ସଂରକ୍ଷଣ ପାଇଁ ବନୀକରଣ ଓ ଘାସ ବିଛାଇବା ପାଇଁ ଏହି ରାୟରେ ଉଲ୍ଲେଖ କରାଯାଇଛି । ଏହି ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା କରୁଥିଲେ।

Share