ଫେକ୍‌ ଟିଆର୍‌ପି ସ୍କାମ୍‌ର ପର୍ଦ୍ଦାଫାଶ: ୪ ଗିରଫ, ସ୍କାନରରେ ରିପବ୍ଲିକ୍‌ ଟିଭି

ମୁମ୍ବାଇ, ୮ା୧୦-ମୁମ୍ବାଇ ପୋଲିସ ଗୁରୁବାର ଏକ ବଡ଼ଧରଣର ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଉକ୍ତ ର଼୍ୟାକେଟ ଜାଲିଆତି କରି ରିପବ୍ଲିକ୍‌ ଟିଭି ସମେତ ଆଉ କେତେକ ଟିଭି ଚ୍ୟାନେଲର ଟେଲିଭିଜନ ରେଟିଂସ୍‌ ପଏଣ୍ଟସ୍‌ (ଟିଆର୍‌ପି) ବଢ଼ାଇଥିବା ପୋଲିସ ଦାବି କରିଛି। ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୩ଟି ଟିଭି ଚ୍ୟାନେଲ ଏହି ଅସାଧୁ କାର୍ଯ୍ୟରେ ସମ୍ପୃକ୍ତ ଥିବା ଧରାପଡ଼ିଛନ୍ତି। ସେହି ଚ୍ୟାନେଲଗୁଡ଼ିକ ହେଲା ରିପବ୍ଲିକ୍‌, ଫକ୍ତ ମରାଠୀ ଓ ବକ୍ସ ସିନେମା। ସାରା ଦେଶର ବିଭିନ୍ନ ଅଜ୍ଞାତ ଘରେ ଟିଆର୍‌ପି ମାପିବା ମାପକାଠି ରଖାଯାଇଥିଲା। ବ୍ରଡ୍‌କାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍ସିଲ (ବିଏଆର୍‌ସି) ଯେଉଁ ମାନଦଣ୍ଡ ଅନୁସାରେ ଚ୍ୟାନେଲଗୁଡ଼ିକର ଟିଆର୍‌ପି ଆକଳନ କରିଥାଏ ସେହି ହିସାବରେ ଏହା କରାଯାଇଥିଲା। ଆମେ ଜାଣିବାକୁ ପାଇଥିଲୁ ଯେ, ବିଏଆର୍‌ସି ପକ୍ଷରୁ ଚୁକ୍ତି କରାଯାଇଥିବା ହନ୍ସା ରିସର୍ଚ୍ଚ ଗ୍ରୁପ୍‌ର ପୂର୍ବତନ କର୍ମଚାରୀମାନଙ୍କୁ କେତେକ ଚ୍ୟାନେଲ ଟଙ୍କା ଦେଇଥିଲେ। ପୂର୍ବତନ କର୍ମଚାରୀମାନେ କେତେକ ନିର୍ଦ୍ଦିଷ୍ଟ ପରିବାରକୁ ଅର୍ଥ ଦେଉଥିଲେ। ସେହି ପରିବାରମାନେ ଟିଆର୍‌ପି ପ୍ରସାର ପାଇଁ ମାପଦଣ୍ଡ ଭାବେ ବଛାହୋଇଥିଲେ। ସେମାନେ ରିପବ୍ଲିକ୍‌ ଭଳି କେତେକ ନିର୍ଦ୍ଦିଷ୍ଟ ଚ୍ୟାନେଲକୁ ସେଗୁଡ଼ିକର ଟିଆର୍‌ପି ବୃଦ୍ଧି ପାଇଁ ଟିଭିରେ ଚଲାଇ ରଖୁଥିଲେ ବୋଲି ପୋଲିସ କମିଶନର ପ୍ରଘଟ କରିଛନ୍ତି। ସେ ଆହୁରି କହିଛନ୍ତି, ଟିଆର୍‌ପି ବଢ଼ାଉଥିବା ପ୍ରତି ପରିବାରକୁ ଦିନକୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିଲା। କେତେକ ସ୍ଥଳେ ଇଂଲିଶ୍‌ ବୁଝୁ ନ ଥିବା ଲୋକେ ମଧ୍ୟ ରିପବ୍ଲିକ୍‌ ଚ୍ୟାନେଲକୁ ଦିନସାରା ଲଗାଇ ରଖୁଥିଲେ। ସେମାନଙ୍କ ବୟାନ ରେକର୍ଡ କରାଯାଇଥିବା କମିଶନର ସୂଚନା ଦେଇଛନ୍ତି।
ପୋଲିସ ମୁତାବକ ହନ୍ସା ଏବଂ ବିଏଆର୍‌ସି ଟିଆର୍‌ପିର ଏହି ‘ଅସ୍ବାଭାବିକ ଟ୍ରେଣ୍ଡସ୍‌’ ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କାଣ୍ଡିଭଲି ଥାନାରେ ମାମଲା ରୁଜୁ ପରେ ହଂସାର ଜଣେ ପୂର୍ବତନ କର୍ମଚାରୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୦ ଲକ୍ଷ ଓ ଲକର୍‌ରୁ ୮.୫ ଲକ୍ଷ ଟଙ୍କା ଜବତ କରାଯାଇଛି।  ଅପରପକ୍ଷେ ଏହି ଘଟଣାକୁ ନେଇ ରିପବ୍ଲିକ ମିଡିଆ ନେଟଓ୍ବାର୍କର ସମ୍ପାଦକ ଅର୍ନବ ଗୋସ୍ବାମୀ ଏକ ବିବୃତି ଜାରି କରି ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ଅଭିଯୋଗକୁ ମିଥ୍ୟା ବୋଲି ଅଭିଯୋଗ କରିଛନ୍ତି। ଏଥିସହ ରିପବ୍ଲିକ ଟିଭି ପକ୍ଷରୁ ମୁମ୍ବାଇ ପୋଲିସ କମିଶନରଙ୍କ ବିରୋଧରେ ଅପରାଧିକ ମାନହାନୀ ମକଦ୍ଦମା ଦାୟର କରାଯିବ ବୋଲି ଜଣାପଡିଛି।

Share