ଶିଖ୍‌ ହୋଇଥିବାରୁ ରିପବ୍ଲିକାନ ପାର୍ଟି କରୁଛି ଭେଦଭାବ, ମୂଳ ଭାରତୀୟଙ୍କ ଅଭିଯୋଗ…

ଓ୍ବାଶିଂଟନ,୧୭।୧ : ରିପବ୍ଲିକାନ ନ୍ୟାଶନାଲ କମିଟି (ଆରଏନସି)ର ଚେୟାରମ୍ୟାନ ପଦବୀ ପାଇଁ ଆମେରିକାର ମୂଳ ଭାରତୀୟ ଆଇନଜୀବୀ ହରମିତ ଧିଲନ ଦୌଡ଼ରେ ଅଛନ୍ତି। ଶିଖ୍‌ ଧର୍ମର ହୋଇଥିବାରୁ ସେ ଭେଦଭାବର ସମ୍ମୁଖୀନ ହେଉଛନ୍ତି ବୋଲି ହରମିତ ଅଭିଯୋଗ କରିଛନ୍ତି। ତାଙ୍କର ଧାର୍ମିକ ବିଶ୍ୱାସ ଯୋଗୁ ତାଙ୍କୁ ରିପବ୍ଲିକାନ ନେତାମାନେ ଟାର୍ଗେଟ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ତେବେ ସେ କହିଛନ୍ତି ଯେ ଏଭଳି କାର୍ଯ୍ୟ ନେଇ ଭୟଭୀତ ନ ହୋଇ ସଂଗ୍ରାମ ଜାରି ରଖିବେ।

ହରମିତ କାଲିଫର୍ନିଆ ରିପବ୍ଲିକାନ ପାର୍ଟିର ପୂର୍ବତନ ସହ-ଚେୟାରମ୍ୟାନ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ବର୍ତ୍ତମାନ ରିପବ୍ଲିକାନ ନ୍ୟାଶନାଲ କମିଟିର ଚେୟାରମ୍ୟାନ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପଦବୀ ପାଇଁ ରୋନା ମ୍ୟାକଡାନେଲଙ୍କ ବିରୋଧରେ ହରମିତ ଅଛନ୍ତି।

ଏକ ଟୁଇଟରେ ସେ ଏହା ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ କୌଣସି ବିପଦ, ମୌଳବାଦ ଆକ୍ରମଣ ତାଙ୍କୁ କିମ୍ବା ତାଙ୍କ ଦଳକୁ ଅଟକାଇ ପାରିବ ନାହିଁ। ଜାନୁଆରୀ ୨୭ରେ ରିପବ୍ଲିକାନ ଜାତୀୟ କମିଟିର ସଭାପତି ନିର୍ବାଚନ ଅନୁଷ୍ଠିତ ହେବ।

ହରମିତ ତାଙ୍କର ଏକ ବିବୃତ୍ତିରେ କହିଛନ୍ତି ଯେ ରିପବ୍ଲିକାନ ପାର୍ଟିକୁ ଲବିଷ୍ଟ, ପରାମର୍ଶଦାତା ଏବଂ ନିଜ ଇଚ୍ଛାନୁସାରେ ଦଳ ଚଳାଉଥିବା ଲୋକଙ୍କଠାରୁ ମୁକ୍ତ ହେବା ଆବଶ୍ୟକ। ପଲିଟିକୋ ଖବରକାଗଜ ସହ କଥାବାର୍ତ୍ତା କରି ଧିଲନ କହିଛନ୍ତି ଯେ ତାଙ୍କର ଧାର୍ମିକ ବିଶ୍ୱାସ ପାଇଁ ବିରୋଧୀମାନେ ତାଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଏହାକୁ ତାଙ୍କ ବିରୁଦ୍ଧରେ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି।

Share