Categories: ଜାତୀୟ

ସୁଡ଼ଙ୍ଗ ଉପରୁ ଆରମ୍ଭ ହେଲା ଖନନ କାର୍ଯ୍ୟ

ନୂଆଦିଲ୍ଲୀ,୨୬ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ି ପଡ଼ିଥିବା ସିଲ୍‌କ୍ୟାରା ଟନେଲରେ ୪୧ ଶ୍ରମିକ ୧୫ ଦିନ ହେଲା ଫସି ରହିଛନ୍ତି। ହେଲେ ସେମାନଙ୍କୁ ବାହାର କରିବା ଫଳପ୍ରଦ ହୋଇପାରି ନାହିଁ। ଫଳରେ ରବିବାରଠାରୁ ପାହାଡ଼ ଉପରୁ ଖନନ ଆରମ୍ଭ ହୋଇଛି। ଉପରୁ ଖନନ କରାଗଲେ ୪ ଦିନରେ ଶ୍ରମିକମାନଙ୍କ ପାଖରେ ପହଞ୍ଚି ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ହେଲେ ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି।

ପୂର୍ବରୁ ଆମେରିକୀୟ ଡ୍ରିଲିଂ ମେଶିନ୍‌ରେ ଖନନ କାର୍ଯ୍ୟ ଚାଲିଥିବାବେଳେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ଆଶା କରାଯାଉଥିଲା। ୪୬ ମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଓସାରିଆ ଇସ୍ପାତ ପାଇପ୍‌ ଯାଇସାରିଥିଲା। ଆଉ ୧୦ରୁ ୧୨ ମିଟର ଖୋଳାଯାଇଥିଲେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଥାନ୍ତା। ହେଲେ ଖନନ ବେଳେ ଔଗର ଡ୍ରିଲିଂ ମେଶିନ୍‌ର ବ୍ଲେଡ୍‌ ଭାଙ୍ଗି ଭିତରେ ରହିଯିବାରୁ ଖନନ କାର୍ଯ୍ୟକୁ ବନ୍ଦ କରିବାକୁ ପଡିଥିଲା। ମାନୁଆଲ ମେଶିନ୍‌ରେ ଖୋଳିବା ସମୟସାପେକ୍ଷ ହୋଇଥିବାରୁ ଶେଷ ବିକଳ୍ପ ଭାବେ ପାହାଡ଼ ଉପରୁ ଖୋଳିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଖନନ କାର୍ଯ୍ୟରେ ସହାୟତା ପାଇଁ ସେନାର ଏକ ଇଞ୍ଜିନିୟରିଂ ଗ୍ରୁପ୍‌ ପହଞ୍ଚିଛନ୍ତି।

Share