ମେଡିକାଲରୁ ଚୋରି ନବଜାତ ଉଦ୍ଧାର

ବାଲେଶ୍ୱର,୧୦ା୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତ ଉଦ୍ଧାର ହୋଇଛି। ଜଳେଶ୍ୱର ଅଞ୍ଚଳରୁ ନବଜାତ ପୁତ୍ରକୁ ପୋଲିସ ଉଦ୍ଧାର କରିଛି। ନବଜାତକୁ ଚୋରି କରିଥିବା ମହିଳାଙ୍କ ସମେତ ଆଶା କର୍ମୀ ଅଟକ ରହିଛନ୍ତି।
ସୂଚନା ଅନୁଯାୟୀ, ବାଲିଆପାଳ ଥାନା ଅଧୀନ କୁଲାଚଡ଼ର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ସ୍ତ୍ରୀ ଅନିତା ଶନିବାର ବିଳମ୍ବିତ ରାତିରେ ପ୍ରସବ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସାଙ୍ଗରେ ତାଙ୍କ ଶାଶୁ ଓ ସ୍ଥାନୀୟ ଆଶାକର୍ମୀ ସନ୍ଧ୍ୟାରାଣୀ ଜେନା ଥିଲେ। ରାତି ପ୍ରାୟ ୧୨ଟା ବେଳେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ରବିବାର ସକାଳେ ଜଣେ ଅଜଣା ମହିଳା ସେଠାରେ ପହଞ୍ଚି ପିଲାଟିକୁ ଧରିଥିଲେ। ପରେ ଆଶାକର୍ମୀ ସନ୍ଧ୍ୟାରାଣୀଙ୍କ ସହ ବୁଲାବୁଲି ଓ କଥାବାର୍ତ୍ତା କରିଥିଲେ। ଏହାପରେ ଆଶାକର୍ମୀ ଏବଂ ଅନିତାଙ୍କ ଶାଶୁ ୱାର୍ଡରେ ନ ଥିବାବେଳେ ଉକ୍ତ ମହିଳା ଜଣକ ପିଲାଟିକୁ ଡାକ୍ତରଙ୍କ ପାଖକୁ ନେଉଛି କହି ସାଙ୍ଗରେ ନେଇଯାଇଥିଲେ। ପରେ ଆଉ ବେଡ୍‌କୁ ଫେରି ନ ଥିଲେ। ଅନିତାଙ୍କ ଶାଶୁଘର ଲୋକେ ପିଲା ଚୋରି ହୋଇଥିବା ନେଇ ହସ୍ପିଟାଲ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୋଲିସ ହସ୍ପିଟାଲ ସିସି କ୍ୟାମେରା ଯାଞ୍ଚ କରି ଅଜଣା ମହିଳାଙ୍କ ଗତିବିଧିର ଭିଡିଓ ଜବତ କରିଥିବା ବେଳେ ଆଶାକର୍ମୀ ଓ ଡ୍ୟୁଟିରେ ଥିବା ହସ୍ପିଟାଲର ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପ୍ରକାଶଥାଉ କି, ଗତ ଏପ୍ରିଲ ୨ରେ ବାଲିଆପାଳ ଥାନା ଅଧୀନ ଆଠବାଟିଆ ଅଞ୍ଚଳର ସୁଶାନ୍ତ ବାରିକଙ୍କ ସ୍ତ୍ରୀ ଟିକିଲି ତାଙ୍କ ନବଜାତ ଶିଶୁପୁତ୍ରକୁ ଧରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଶିଶୁକୁ ଜଣ୍ଡିସ୍‌ ହୋଇଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟର ମା’ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର ତଥା ଏମ୍‌ସିଏଚ୍‌ ବିଭାଗ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଥିଲା। ଏପ୍ରିଲ ୪ ତାରିଖ ଦ୍ୱିପ୍ରହର ସମୟରେ ଶିଶୁଟି ପାଖରୁ ତା’ର ମା’ ଟିକେ ବାହାରକୁ ଆସିଥିବା ବେଳେ ସେହି ବେଡ୍‌ରୁ ତାକୁ କେହି ଉଠାଇ ନେଇ ତା’ ସ୍ଥାନରେ ଏକ ନବଜାତ ଶିଶୁକନ୍ୟା ରଖିଦେଇ ପଳାଇଥିଲେ। ଘଟଣା ଜଣାପଡ଼ିବା ପରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ସ୍ଥାନୀୟ ମେଡିସିନ ଦୋକାନ କର୍ମଚାରୀଙ୍କ ସହାୟତା ଓ ସିସିଟିଭି ଫୁଟେଜ୍‌କୁ ଆଧାର କରି ଉକ୍ତ ଶିଶୁପୁତ୍ରକୁ ୨୪ ଘଣ୍ଟା ପରେ ଉଦ୍ଧାର କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ପୋଲିସ ଏହି ଘଟଣାରେ କୌଣସି ଠୋସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ରବିବାର ପୁଣି ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରସୂତି ବିଭାଗରେ ଥିବା ସମସ୍ତ ମା’ ଏବଂ ପରିବାର ଲୋକଙ୍କୁ ପିଲାଚୋରି ଭୟ ଘାରିଛି। ସେପଟେ ଖୁବ୍‌ଶୀଘ୍ର ଶିଶୁକୁ ଉଦ୍ଧାର କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

Share