ଲାଲ ରଙ୍ଗର ଅତି ଦୁର୍ଲଭ ସାପ ଉଦ୍ଧାର

ଡେରାଡୁନ, ୮।୮: ଉତ୍ତରାଖଣ୍ଡର ନୈନିତାଲ ଜିଲାରୁ ଜଙ୍ଗଲ ବିଭାଗ ପକ୍ଷରୁ ଏକ ଅତି ଦୁର୍ଲଭ ଲାଲ ରଙ୍ଗର କୋରାଲ୍‌ କୁକ୍‌ରି ସାପ ଉଦ୍ଧାର କରାଯାଇଛି। ନୈନିତାଲର ବିନ୍ଦୁଖଟ୍ଟା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଏହି ସାପଟିକୁ ପଶିଯାଇଥିଲା। ଏହାପରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହାୟତାରେ ଏହାକୁ ଉଦ୍ଧାର କରାଯାଇଥିଲା। ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ବିରଳ ପ୍ରଜାତିର ସାପ ପ୍ରଥମେ ୧୯୩୬ ମସିହା ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର କ୍ଷେରୀ ଅଞ୍ଚଳରେ ଦେଖାଯାଇଥିଲା। ଯେଉଁଠାରୁ ଏହା ସାଇଣ୍ଟିଫିକ୍‌ ନାମ ‘ଓଲିଗୋଡନ ଖେରିଏନ୍ସିସ’ ମିଳିଥିଲା। ଗୋରଖାମାନଙ୍କର ବକ୍ର ଛୁରୀ ‘କୁକରୀ’ ଭଳି ଏହି ସାପର ଦାନ୍ତ କୁକ୍‌ରୀ ଛୁରୀର ବ୍ଲେଡ୍‌ ପରି ବଙ୍କା ହୋଇଥିବାରୁ ନାମକରଣ ଏହିପରି ହୋଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ୍‌-୧୯୭୨ ଅନୁଯାୟୀ ଏହି ସାପ ସେଡ୍ୟୁଲ୍‌-୪ ଶ୍ରେଣୀରେ ଅନ୍ତର୍ଭୁକ୍ତ। ଲାଲ୍‌ ବ୍ୟତୀତ ଉଜ୍ଜଳ କମଳା ରଙ୍ଗର ଏହି ପ୍ରଜାତିର ସାପ ମଧ୍ୟ ଦେଖିବାକୁ ମିଳନ୍ତି। ଏହି ସାପକୁ ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଡିଭିଜନାଲ ବନ ଅଧିକାରୀ (ଡିଏଫ୍‌ଓ) ନୀତୀଶ ମଣି ତ୍ରିପାଠୀ ସୂଚନା ଦେଇଛନ୍ତି। ଏଥିପୂର୍ବରୁ ୨୦୧୪ ଓ ୨୦୧୫ରେ ଭାରତର ଭିନ୍ନ ଭିନ୍ନ ସ୍ଥାନରେ ଏହି ସାପ ଉଦ୍ଧାର କରାଯାଇଥିଲା।

Share