ଗବେଷଣା ଦିଏ ନୂଆ ଧାରଣା

କାଠ, କାଗଜ, ଚିନି, ମାଟି, ପାଣି – ବିଜ୍ଞାନ ଆଖିରେ ଏସବୁ ବସ୍ତୁ। ପ୍ରତ୍ୟେକ ବସ୍ତୁ କ୍ଷୁଦ୍ର କ୍ଷୁଦ୍ର କଣିକାକୁ ନେଇ ତିଆରି ହୋଇଥାଏ। ସେହି କଣିକାକୁ ‘ଅଣୁ’ (ମୋଲିକ୍ୟୁଲ୍‌) କୁହାଯାଏ। ଅଣୁରେ ସେହି ବସ୍ତୁର ଧର୍ମ ରହିଥାଏ। ଏହାର ଅର୍ଥ, ଅଣୁକୁ ପରୀକ୍ଷା କରି କହିପାରିବା ଯେ, ତାହା କେଉଁ ବସ୍ତୁରୁ ଆସିଛି। ବସ୍ତୁର ଶେଷ କଣିକା ହେଉଛି ଅଣୁ ଓ ତାକୁ ଆଉ ଭାଙ୍ଗି ହେବ ନାହିଁ, ଏହି କଥାକୁ ଦିନେ ସତ ବୋଲି କୁହାଯାଉଥିଲା। କିନ୍ତୁ, ବର୍ଷ ବର୍ଷ ଧରି ରହିଆସିଥିବା ଏହି ଧାରଣାକୁ ବୈଜ୍ଞାନିକ ଗବେଷଣା ଭୁଲ ପ୍ରମାଣିତ କଲା। ଗବେଷଣାରୁ ଜଣାପଡ଼ିଲା ଯେ, ବସ୍ତୁର ଶେଷ କଣିକା ଅଣୁ ନୁହେଁ। ଅଣୁକୁ ମଧ୍ୟ ଭାଙ୍ଗି ହେବ। ଅଣୁକୁ ଭାଙ୍ଗି ଦେଲେ ସେଥିରୁ ମଧ୍ୟ ଆହୁରି କ୍ଷୁଦ୍ର କ୍ଷୁଦ୍ର କଣିକାମାନ ମିଳିପାରିବ।
ଅଣୁକୁ ଭାଙ୍ଗିଲେ ଯେଉଁ କ୍ଷୁଦ୍ରାତିକ୍ଷୁଦ୍ର କଣିକାଗୁଡ଼ିକ ମିଳେ, ସେଗୁଡ଼ିକୁ କୁହାଯାଏ ‘ପରମାଣୁ’ (ଆଟମ୍‌)। ଅଣୁରେ ସିନା ବସ୍ତୁର ଧର୍ମ ରହିଥାଏ, କିନ୍ତୁ ପରମାଣୁରେ ବସ୍ତୁର ଧର୍ମ ନ ଥାଏ। ପାଣିର ଉଦାହରଣ ନେବା। ଜଳ ଅଣୁକୁ ଖାଲି ଆଖିରେ ଦେଖି ହେବ ନାହିଁ। ଲକ୍ଷ ଲକ୍ଷ କୋଟି କୋଟି କ୍ଷୁଦ୍ର କ୍ଷୁଦ୍ର ଜଳ ଅଣୁ ମିଶିଲେ ଯାଇ ଆମେ ଟୋପାଏ ପାଣି ଦେଖିବା। ଜଳର ଗୋଟିଏ ଅଣୁକୁ ଭାଙ୍ଗିଲେ ସେଥିରୁ ଆମକୁ ଆହୁରି ଛୋଟ ଛୋଟ ୩ଟା କଣିକା ବା ପରମାଣୁ ମିଳିବ। ଗୋଟିଏ ଅମ୍ଳଜାନ ପରମାଣୁ ଓ ଦୁଇଟି ଉଦ୍‌ଜାନ ପରମାଣୁ। ଜଳ ଏକ ତରଳ ପଦାର୍ଥ। ଜଳ ଅଣୁକୁ ତିଆରି କରିଥିବା ଉଦ୍‌ଜାନ ଓ ଅମ୍ଳଜାନ ପରମାଣୁ ଉଭୟ ଗ୍ୟାସୀୟ ଉପାଦାନ। ଉଦ୍‌ଜାନ ବାଷ୍ପ ନିଜେ ଜଳିପାରେ ଓ ଅମ୍ଳଜାନ ବାଷ୍ପ ଜଳିବାରେ ସାହାଯ୍ୟ କରେ। ହେଲେ ଏମାନଙ୍କୁ ନେଇ ଗଠିତ ଜଳର ଗୁଣ ତ ପୂରା ଓଲଟା। ଜଳ ନିଜେ ଜଳିପାରେ ନାହିଁ କି ଜଳିବାରେ ସାହାଯ୍ୟ କରେ ନାହିଁ। ବରଂ ଜଳୁଥିବା ନିଆଁ ଉପରେ ଆମେ ପାଣି ଢାଳିଲେ ନିଆଁ ଲିଭିଯାଏ। ସେ ଯାହା ହେଉ, ଅଣୁକୁ ଭାଙ୍ଗି ପାରିବା କଥାଟା ବିଜ୍ଞାନ ଦ୍ୱାରା ଜଣାପଡ଼ିଥିଲା।
ପରମାଣୁ ଯେ ଶେଷ କଣିକା – ଏହି ଧାରଣା ବି ଦିନେ ଭୁଲ୍‌ ପ୍ରମାଣିତ ହେଲା। ବିଜ୍ଞାନ ପ୍ରମାଣ କରିଦେଲା – ପ୍ରତ୍ୟେକ ପରମାଣୁକୁ ମଧ୍ୟ ଆମେ ଭାଙ୍ଗିପାରିବା। ଅର୍ଥାତ୍‌, କ୍ଷୁଦ୍ର ପରମାଣୁଠାରୁ ଆହୁରି କ୍ଷୁଦ୍ରତର କଣିକାକୁ ନେଇ ପରମାଣୁ ତିଆରି ହୁଏ। ପରମାଣୁ ଭିତରେ ଅତିଶୟ ଛୋଟ ଆୟତନ ମଧ୍ୟରେ ଅତି ଓଜନିଆ ଟାଣୁଆ ଅଂଶଟିଏ ଥାଏ। ଏହାକୁ ‘ନିଉକ୍ଲିଅସ୍‌’ ବା ‘ନାଭି’ ବୋଲି କୁହାଯାଏ। ଏହି ‘ନିଉକ୍ଲିଅସ୍‌’ ଚାରିପଟେ ‘ଇଲେକ୍ଟ୍ରନ୍‌’ ନାମକ ଅତି ହାଲୁକା କଣିକାଗୁଡ଼ିକ ବୁଲୁଥାଆନ୍ତି। ପରମାଣୁର ପ୍ରାୟତଃ ସମସ୍ତ ବସ୍ତୁତ୍ୱ ‘ନିଉକ୍ଲିଅସ୍‌’ ଭିତରେ ହିଁ ରହିଥାଏ। ଅର୍ଥାତ୍‌ ପରମାଣୁର ଓଜନ ଯାହା, ‘ନିଉକ୍ଲିଅସ୍‌’ର ଓଜନ ଟିକିଏ ମାତ୍ର କମ୍‌, ନ ହେଲେ ପାଖାପାଖି ସେୟା। ଏବେ ଯାହା ବୁଝାପଡ଼ିଲା, ପରମାଣୁ ଭିତରେ ଦୁଇ ପ୍ରକାର କଣିକା ଅଛି – ନିଉକ୍ଲିଅସ୍‌ ଓ ଇଲେକ୍ଟ୍ରନ୍‌ ଏବଂ ସେଗୁଡ଼ିକ ଶେଷ କଣିକା। ନା, ଆମର ଧାରଣା ଭୁଲ। କାରଣ ନିଉକ୍ଲିଅସ୍‌କୁ ଭାଙ୍ଗିଲେ ସେଥିରୁ ‘ପ୍ରୋଟନ୍‌’ ଓ ‘ନିଉଟ୍ରନ୍‌’ ନାମରେ ଆହୁରି ଛୋଟ ଛୋଟ କଣିକା ପାଇବା। ତେଣୁ ଗବେଷଣା ଆମର ଧାରଣାକୁ ବଦଳେଇ ଚାଲିଛି।
ସେତିକିରେ କଥା ସରିନାହିଁ। ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟାୟରେ ବୈଜ୍ଞାନିକମାନେ ବିଶ୍ୱାସ କରି ଆସୁଥିଲେ ଯେ ପ୍ରୋଟନ୍‌, ନିଉଟ୍ରନ୍‌ ଓ ଇଲେକ୍ଟ୍ରନ୍‌ ହେଉଛନ୍ତି ମୂଳକଣିକା। ସେଗୁଡ଼ାକୁ ଆଉ ଭଙ୍ଗାଭଙ୍ଗି କରି ହେବ ନାହିଁ। ସେଗୁଡ଼ାକ ଭିତରେ ଆହୁରି ଛୋଟ ଛୋଟ କୌଣସି କଣିକା ନାହିଁ। ତେଣୁ ବିଶ୍ୱବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ସେହି ପ୍ରୋଟନ୍‌, ନିଉଟ୍ରନ୍‌ ଓ ଇଲେକ୍ଟ୍ରନ୍‌ ନାମକ ତିନିଗୋଟି ମୂଳ କଣିକାକୁ ନେଇ ତିଆରି। କିନ୍ତୁ ୧୯୫୦ ଦଶକରେ ଏତେ ବର୍ଷର ସତକଥା ମିଛ ପ୍ରମାଣିତ ହେଲା। ସେତେବେଳେ କେତେକ ନୂଆ ନୂଆ କଣିକାଗୁଡ଼ିକ ବିଷୟରେ ଜଣାପଡ଼ିଲା, ଯାହାକୁ ସରଳ ତଥ୍ୟ ସହାୟତାରେ ବୁଝିବା ସମ୍ଭବ ହେଲାନାହିଁ। ୧୯୬୪ ମସିହାରେ ଜଣାପଡ଼ିଲା ଯେ ପ୍ରୋଟନ୍‌ ଓ ନିଉଟ୍ରନ୍‌ ବସ୍ତୁର ଚରମ-କଣିକା ବା ମୂଳ-କଣିକା ନୁହନ୍ତି, ବରଂ ସେଗୁଡ଼ିକ ଆହୁରି କ୍ଷୁଦ୍ରାତିକ୍ଷୁଦ୍ର କଣିକାରେ ଗଠିତ। ବୈଜ୍ଞାନିକ ଗେଲ୍‌-ମାନ୍‌ ସେହି କଣିକାକୁ ‘କ୍ୱାର୍କ’ ବୋଲି ନାମକରଣ କରିଥିଲେ।
‘କ୍ୱାର୍କ’ ଛଅ ପ୍ରକାରର-ଯଥା: ଅପ୍‌, ଡାଉନ୍‌, ଚାର୍ମ, ଷ୍ଟ୍ରେ୍‌, ବଟମ୍‌ ଓ ଟପ୍‌ କ୍ୱାର୍କ। ୧୯୯୫ ମସିହାରେ ଛଅ ନମ୍ବର ଟପ୍‌ କ୍ୱାର୍କ ବିଷୟରେ ଠିକ୍‌ ଜଣାପଡ଼ିଥିଲା। ଛଅଗୋଟି କ୍ୱାର୍କ ମଧ୍ୟରୁ ଅପ୍‌ କ୍ୱାର୍କ ଓ ଡାଉନ୍‌ କ୍ୱାର୍କ ଦୁଇଟି ପ୍ରଥମ ପିଢ଼ିର କ୍ୱାର୍କ। ସେହିପରି ଷ୍ଟ୍ରେ ଓ ଚାର୍ମ ଦ୍ୱିତୀୟ ପିଢ଼ିର। ବାକି ଟପ୍‌ ଓ ବଟମ୍‌ କ୍ୱାର୍କ ଦୁଇଟି ତୃତୀୟ ପିଢ଼ିର। ପ୍ରତ୍ୟେକ କ୍ୱାର୍କର ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ୱ ଓ ଚାର୍ଜ ରହିଛି। ସେମାନଙ୍କ ମଧ୍ୟରେ ଅପ୍‌ ଓ ଡାଉନ୍‌ କ୍ୱାର୍କ ଦୁଇଟି ସବୁଠାରୁ ହାଲୁକା। ପ୍ରୋଟନ୍‌ କଣିକା ଦୁଇଟା ଅପ୍‌ ଓ ଗୋଟିଏ ଡାଉନ୍‌ କ୍ୱାର୍କକୁ ନେଇ ଗଠିତ। ସେହିପରି ଗୋଟିଏ ଅପ୍‌ ଓ ଦୁଇଟି ଡାଉନ୍‌ କ୍ୱାର୍କକୁ ନେଇ ନିଉଟ୍ରନ୍‌ ଗଠିତ। ସେଥିପାଇଁ କୁହାଗଲା ଯେ ପ୍ରୋଟନ୍‌ ଓ ନିଉଟ୍ରନ୍‌ ବସ୍ତୁର ଚରମ-କଣିକା ନୁହନ୍ତି। କ୍ୱାର୍କଗୁଡ଼ିକୁ ପରସ୍ପର ସହିତ ବାନ୍ଧି ହୋଇ ରହିବା କାମରେ ‘ଶକ୍ତବଳ’ (ଷ୍ଟ୍ରଙ୍ଗ୍‌ ଫୋର୍ସ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଶକ୍ତବଳ ଏକ ଅଦ୍ଭୁତ ଧରଣର ବଳ। କ୍ୱାର୍କ ଦୁଇଟା ମଧ୍ୟରେ ଦୂରତା ବଢ଼ିଲେ ଏହି ବଳ ଅତି ମାତ୍ରାରେ ବୃଦ୍ଧିପାଏ। କିନ୍ତୁ କ୍ୱାର୍କ ଦୁଇଟା ନିକଟତର ହେଲେ ସେହି ବଳ ହ୍ରାସପାଏ। କ୍ୱାର୍କ ଓ ଶକ୍ତବଳ ଉପରେ ବିଶେଷ ଗବେଷଣା ସକାଶେ ୨୦୦୪ ମସିହାରେ ନୋବେଲ୍‌ ପୁରସ୍କାର ଦିଆଯାଇଥିଲା। ଆଜି ଆମେ କହିପାରିବା, ‘କ୍ୱାର୍କ’ ହେଉଛି ପଦାର୍ଥର ଏପର୍ଯ୍ୟନ୍ତ ଜଣାପଡ଼ିଥିବା ସର୍ବଶେଷ କଣିକା। କିନ୍ତୁ କାଲିକୁ ଭରସା ନାହିଁ। କାରଣ ବୈଜ୍ଞାନିକ ଗବେଷଣା ଜାରିରହିଛି। ଆଜିର ଧାରଣା କାଲିକୁ ବଦଳି ଯିବ ନା ବଦଳିବ ନାହିଁ, ସେକଥା ସମୟ କହିବ।

ଡ. କମଳାକାନ୍ତ ଜେନା
-ଓଡ଼ିଶା ଶିକ୍ଷା ସେବା-ଏ,
ସହକାରୀ ପ୍ରଫେସର (ଫିଜିକ୍‌ସ୍‌), ଭଦ୍ରକ ସ୍ବୟଂଶାସିତ(ସରକାରୀ) କଲେଜ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ଏହି ୩ ରାଶି ବ୍ୟକ୍ତିଙ୍କର ଚମକିବ ଭାଗ୍ୟ

ନୂତନ ବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,...

ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଥିଲେ ଖାଆନ୍ତୁ ଏସବୁ…

ସାଧାରଣତଃ ଶୀତଦିନେ ପାଳଙ୍ଗ ଶାଗ, ମେଥିଶାଗ, ସୋରିଷ ଶାଗ ଓ ମୂଳା ଶାଗ ଅଧିକ ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍‌-ଏ, ଭିଟାମିନ୍‌ ‘ସି’, ଭିଟାମିନ୍‌ ‘ଇ’,...

ଡାଇବେଟିସ୍‌ ସମସ୍ୟା ଥିଲେ…

ଯଦି ଆପଣ ଡାଇବେଟିସ୍‌ରେ ଆକ୍ରାନ୍ତ ତେବେ ପ୍ରଥମ କଥା ହେଲା ନିୟମିତ ସମୟ ଅନ୍ତରାଳରେ ରକ୍ତରେ ସୁଗାର ପରିମାଣ କେତେ ରହୁଛି ତାହା ମାପି ନିଅନ୍ତୁ।...

ଦୂର ସାଗରର ଝଡ଼

ଜଳର ବଳ: ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୃଶ୍ୟ ରୂପେ ଥାଏ। ଶୀତଳବାୟୁର ଜଳୀୟବାଷ୍ପ ଧାରଣ କ୍ଷମତା ସୀମିତ ଥିଲାବେଳେ ଖରାଦିନର ଗରମ ବାୟୁ ଯଥେଷ୍ଟ...

ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର

ପୃଥିବୀ କକ୍ଷରେ ରହି ଏହାକୁ ପରିକ୍ରମଣ କରୁଥିବା ଏକ କୃତ୍ରିମ ସଂରଚନା ହେଉଛି ଅନ୍ତରୀକ୍ଷ କେନ୍ଦ୍ର। ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ରହି ମହାକାଶଚାରୀମାନେ ଗବେଷଣା...

ସେଲିବ୍ରିଟିମାନେ ପିଉଥିବା ବ୍ଲାକ ଓ୍ବାଟରର ଉପକାରିତା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୬।୧୧: ଆମେ ସମସ୍ତେ କଳା ଜଳ ବା ବ୍ଲାକ ଓ୍ବାଟରର ନାମ ଅର୍ଥାତ୍‌ କ୍ଷାରୀୟ ଜଳର ନାମ ଶୁଣିଛୁ । ଆପଣ ପ୍ରାୟ ପ୍ରତ୍ୟେକ ସେଲିବ୍ରିଟି...

କାର୍ତ୍ତିକ ପୂର୍ଣ୍ଣିମାରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ଖୋଲିବ,ଅଟକି ଥିବା କାମ… 

ହିନ୍ଦୁ ଧର୍ମରେ ଦେବ ଦୀପାବଳିର ବଡ଼ ମହତ୍ୱ ରହିଛି। ଏହାକୁ କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସମସ୍ତ ଦେବୀଦେବତା...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri