ପିଲାଦିନରୁ ଆମେ ଗୋଟିଏ ପ୍ରଶ୍ନ ଶୁଣି ଆସୁଛୁ। ତାହା ହେଉଛି ଦୁନିଆକୁ କୁକୁଡ଼ା ଆଗେ ଆସିଛି ନା ଅଣ୍ଡା। ଏହି ପ୍ରଶ୍ନ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଥିଲା। ଲୋକମାନେ ଆଜି ପର୍ଯ୍ୟନ୍ତ ଏହାକୁ ବୁଝି ପାରୁ ନ ଥିଲେ। ବର୍ତ୍ତମାନ ବୈଜ୍ଞାନିକମାନେ ଲୋକଙ୍କ ଏହି ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି।
ଯୁକ୍ତରାଷ୍ଟ୍ର (ୟୁକେ)ର ଶେଫିଲ୍ଡ ଏବଂ ଓ୍ବାର୍ ଓ୍ବିକ୍ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ପ୍ରଥମେ କୁକୁଡ଼ା କିମ୍ବା ଅଣ୍ଡା ଆସିଲା ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଅନେକ ଗବେଷଣା କରିଛନ୍ତି। ଦୀର୍ଘଦିନର ଅନୁସନ୍ଧାନ ପରେ ବୈଜ୍ଞାନିକମାନେ ଶେଷରେ ସଫଳତା ପାଇଛନ୍ତି। ଏହି ବଡ଼ ପ୍ରଶ୍ନର ଉତ୍ତର ମିଳିଛି। ବୈଜ୍ଞାନିକମାନେ ସେମାନଙ୍କର ଉତ୍ତରକୁ ସତ୍ୟ ବୋଲି ପ୍ରମାଣ କରିବାକୁ ଅନେକ ଯୁକ୍ତି ମଧ୍ୟ ବାଢ଼ିଛନ୍ତି।
ଅନୁସନ୍ଧାନରୁ ଜଣାପଡ଼ିଛି, ଦୁନିଆକୁ କୁକୁଡ଼ା ପ୍ରଥମେ ଆସିଥିଲା ଏବଂ ପରେ ଅଣ୍ଡା ଆସିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୁକୁଡ଼ା ବିନା ଅଣ୍ଡା ଉତ୍ପନ୍ନ ହୋଇପାରିବ ନାହିଁ। ଅନୁସନ୍ଧାନରୁ ଜଣାପଡିଛି, ଅଣ୍ଡାର ସେଲ୍ରେ ଓଭୋକ୍ଲାଡିନ ନାମକ ଏକ ପ୍ରୋଟିନ ଥାଏ, ଯାହା ବିନା ଅଣ୍ଡାର ସେଲ୍ ସୃଷ୍ଟି ହୋଇପାରିବ ନାହିଁ।
ସବୁଠୁ ବଡ଼ କଥା ହେଉଛି ଏହି ପ୍ରୋଟିନ କେବଳ କୁକୁଡ଼ାଙ୍କ ଗର୍ଭାଶୟରେ ତିଆରି ହୋଇଥାଏ। ତେଣୁ ଯେପର୍ଯ୍ୟନ୍ତ କୁକୁଡ଼ାଙ୍କ ଗର୍ଭାଶୟରୁ ଏହି ପ୍ରୋଟିନ ଅଣ୍ଡା ଉତ୍ପାଦନରେ ବ୍ୟବହୃତ ହୁଏ ନାହିଁ, ସେ ପର୍ଯ୍ୟନ୍ତ ଅଣ୍ଡା ତିଆରି ହୋଇପାରିବ ନାହିଁ। ବର୍ତ୍ତମାନ ଏଥିରୁ ସ୍ପଷ୍ଟ ହୋଇଛି ଯେ, କୁକୁଡ଼ା ଦୁନିଆକୁ ପ୍ରଥମେ ଆସିଛି, ପରେ ଅଣ୍ଡା ଆସିଛି।
ଏହି ଅନୁସନ୍ଧାନର ମୁଖ୍ୟ ବୈଜ୍ଞାନିକ ଡ. କଲିନ ଫ୍ରିମ୍ୟାନ କୁହନ୍ତି, ଏହି ପ୍ରଶ୍ନ ଦୀର୍ଘଦିନ ଧରି ଲୋକଙ୍କୁ ହଇରାଣ କରୁଥିଲା ଯେ କୁକୁଡ଼ା ଆଗେ ନା ଅଣ୍ଡା ଆଗେ। ବୈଜ୍ଞାନିକମାନେ ଶେଷରେ ଏହାର ସଠିକ୍ ଉତ୍ତର ଦେବା ସହ ପ୍ରମାଣ ମଧ୍ୟ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଦୁନିଆକୁ ପ୍ରଥମେ କୁକୁଡ଼ା ହିଁ ଆସିଛି।