ଆୟୋସ ମାଲେଟ ମାଛ ଉପରେ ଗବେଷଣା

ବ୍ରହ୍ମପୁର,୬ା୧୧(ତନୁଶ୍ରୀ ନାହାକ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିବା ନୂତନ ପ୍ରଜାତିର ଆୟୋସ ମାଲେଟ୍‌ ମାଛ ଉପରେ ଗବେଷଣା ଜାରି ରହିଛି। ପଶ୍ଚିମ ଓଡ଼ିଶାର ସୋନପୁରଠାରେ ପ୍ରବାହିତ ମହାନଦୀରେ ଏହି ମାଛ ଠାବ କରାଯାଇଥିବା ବିଭାଗର ଅଧ୍ୟାପକ ପ୍ରଫେସର ଜୟକିଶୋର ସେଠ କହିଛନ୍ତି। ପଶ୍ଚିମ ଓଡ଼ିଶାବାସୀଙ୍କ କହିବାନୁସାରେ ଏହି ଆୟୋସ ମାଲେଟ୍‌ ମାଛର ଶୁଖୁଆ ତିଆରି ପ୍ରଣାଳୀ ମଧ୍ୟ ଭିନ୍ନ, ଯାହାଦ୍ୱାରା ଏହାର ସ୍ବାଦ ସହ ଚାହିଦା ମଧ୍ୟ ବଜାରରେ ଅଧିକ। ଏହାର ବଜାର ମୂଲ୍ୟ କିଲୋ ପିଛା ୬୦୦ରୁ ୮୦୦ ଟଙ୍କା ରହିଛି। ଏହା ଉପରେ ବିଭାଗର ପ୍ରଫେସର ସେଠଙ୍କ ସମେତ ସମୀର ଶୁର, ଦିଲରାଜ ପୁଆଲା ଓ ଗୋପାଳପୁରସ୍ଥିତ ଜିୟୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ବୈଜ୍ଞାନିକ ଡ.ଅନିଲ କୁମାର ମହାପାତ୍ର ଏବଂ ଅବସରପ୍ରାପ୍ତ ବୈଜ୍ଞାନିକ ଶୁଭେନ୍ଦୁ ଶେଖର ମିଶ୍ର ମିଳିତ ଭାବେ ଗବେଷଣା କରୁଛନ୍ତି। ଆନ୍ତର୍ଜାତିକ ଗବେଷଣା ପତ୍ରିକା ‘ଜର୍ନାଲ ଅଫ ଫିସ୍‌ ବାୟୋଲୋଜି’ରେ ଏହି ମାଛ ସମ୍ପର୍କରେ ପ୍ରକାଶିତ ହୋଇଥିବା ବେଳେ ଅଧିକ ଗବେଷଣା ନିମନ୍ତେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅନୁଦାନ ପ୍ରଦାନ କରିଥିଲେ। ଦୀର୍ଘ ତିନି ଦଶନ୍ଧି ପରେ ଏହି ମାଛକୁ ଚିହ୍ନଟ କରାଯାଇଛି।

Share