ମଣିଷ ଉପରେ ମହାକାଶ ଯାତ୍ରାର ପ୍ରଭାବ ଗବେଷଣା ସମୃଦ୍ଧ ହେବ

ଓ୍ବାଶିଂଟନ, ୧୬।୯: ଆମେରିକୀୟ ମହାକାଶଯାନ ନିର୍ମାତା କମ୍ପାନୀ ‘ସ୍ପେସ୍‌ଏକ୍ସ’ର ‘ପୋଲାରିସ୍‌ ଡନ୍‌’ ମିଶନ ସଫଳତାର ସହ ସମାପ୍ତ ହୋଇଛି। ଫ୍ଲୋରିଡାର ଡ୍ରାଏ ଟର୍ଟୁଗାସ ଦ୍ୱୀପ ଉପକୂଳରେ ୪ ମହାକାଶଚାରୀଙ୍କ ସହ ଡ୍ରାଗନ୍‌ କ୍ୟାପ୍‌ସୁଲ ସଫଳତାର ସହ ଅବତରଣ କରିଛି। ମହାକାଶରୁ ଫେରିବା ବେଳେ ଘଣ୍ଟା ପ୍ରତି ୨୭ ହଜାର କି.ମି. ବେଗ ସହ ଡ୍ରାଗନ୍‌ କ୍ୟାପସୁଲ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥିଲା।
ତେବେ ଅବତରଣ କରିବା ସମୟରେ ଏହି ମହାକାଶଯାନର ଗତି ମନ୍ଥର ହୋଇଯାଇଥିଲା। ଏହାର ବେଗକୁ ଆହୁରି ମନ୍ଥର କରିବା ପାଇଁ ପାରାଚ୍ୟୁଟ ଖୋଲାଯାଇଥିଲା ଏବଂ ଏହା ସମୁଦ୍ର ଜଳରେ ଅବତରଣ କରିଥିଲା।
ମିଶନ ଅନେକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ୫ ଦିନିଆ ମିଶନରେ ଥିବା ୪ ଜଣ ନନ୍‌ପ୍ରଫେସନାଲ ଆଷ୍ଟ୍ରୋନଟ୍‌ ପୃଥିବୀଠାରୁ ୧୪୦୦ କିଲୋମିଟର ଉଚ୍ଚତାରେ ପହଞ୍ଚିଥିଲେ। ଏହାସହ ୧୯୭୨ ମସିହା ପରଠାରୁ ପ୍ରଥମ ଥର ପାଇଁ କୌଣସି ମହାକାଶ ଯାନ କ୍ରିଉ ସଦସ୍ୟଙ୍କ ସହ ମହାକାଶର ସର୍ବାଧିକ ଉଚ୍ଚତାରେ ପହଞ୍ଚିବାକୁ ସଫଳ ହୋଇଥିଲା। ସେହିପରି ଏହି ମିଶନରେ ପ୍ରଥମ ପ୍ରାଇଭେଟ ସ୍ପେସ୍‌ ଓ୍ବାକ୍‌ ଅନୁଷ୍ଠିତ ହୋଇଥିଲା। ୨ ନନ୍‌ ପ୍ରଫେସ୍‌ନାଲ ଆଷ୍ଟ୍ରୋନଟ୍‌
ତଥା ଆମେରିକୀୟ ଉଦ୍ୟୋଗୀ ଜରେଡ୍‌ ଇସାକ୍‌ମ୍ୟାନ ଏବଂ ସ୍ପେସ୍‌ ଏକ୍ସର ଅପରେଶନ ଇଞ୍ଜିନିୟର ସାରାହ ଗିଲିସ୍‌ ପୃଥିବୀଠାରୁ ୭୦୦ କି.ମି ଉଚ୍ଚରେ ସ୍ପେସ୍‌ ଓ୍ବାକ୍‌ କରିଥିଲେ। ସେହିପରି ‘ପୋଲାରିସ୍‌ ଡନ୍‌’ ମିଶନରେ ମାନବ ସ୍ବାସ୍ଥ୍ୟ ଏବଂ ମହାକାଶ ନିରାପତ୍ତା ସହ ଜଡ଼ିତ ୪୦ଟି ବୈଜ୍ଞାନିକ ପରୀକ୍ଷଣ ମଧ୍ୟ କରାଯାଇଥିବା ନେଇ ସ୍ପେସ୍‌ଏକ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ବିଲୟନେୟାର ମସ୍କଙ୍କ ସ୍ପେସ୍‌ଏକ୍ସ ପକ୍ଷରୁ ଗତ ୧୦ରେ ଫାଲ୍କନ୍‌ -୯ ରକେଟ ଦ୍ୱାରା ‘ପୋଲାରିସ୍‌ ଡନ୍‌’ ମିଶନକୁ ଲଞ୍ଚ୍‌ କରାଯାଇଥିଲା। ଏହି ମିଶନର ଉଦ୍ଦେଶ୍ୟ ମହାକାଶରେ ପ୍ରଥମ ପ୍ରାଇଭେଟ ସ୍ପେସ୍‌ ଓ୍ବାକ୍‌ କରିବା ସହ ମାନବ ସ୍ବାସ୍ଥ୍ୟ ଏବଂ ମହାକାଶ ନିରାପତ୍ତା ସହ ଜଡ଼ିତ ବିଭିନ୍ନ ତଥ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ସ୍ପେସ୍‌ ଏକ୍ସ କହିଛି। ଉକ୍ତ ମିଶନରୁ ସଂଗୃହିତ ତଥ୍ୟ ମାନବ ଶରୀର ଉପରେ ମହାକାଶ ଭ୍ରମଣର ପ୍ରଭାବ ବିଷୟରେ ରିସର୍ଚ୍ଚ କରିବାକୁ ଯଥେଷ୍ଟ ସହାୟକ ହେବ। ସେହିପରି ମଙ୍ଗଳ ଗ୍ରହକୁ ସମ୍ଭାବ୍ୟ ଯାତ୍ରା ସମେତ ଭବିଷ୍ୟତର ମହାକାଶ ସମ୍ବନ୍ଧୀୟ ବିଭିନ୍ନ ମିଶନ ପାଇଁ ଏହି ତଥ୍ୟ ବାଟ ଖୋଲିବ ବୋଲି ସ୍ପେସ୍‌ଏକ୍ସ ପକ୍ଷରୁ କୁହାଯାଇଛି।

Share