Categories: ଜାତୀୟ

୪ ମାସ ମଧ୍ୟରେ ନିଯୁକ୍ତି କ୍ଷେତ୍ର-ଶିକ୍ଷାନୁଷ୍ଠାନରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସଂରକ୍ଷଣ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୫।୨ : ଆସନ୍ତା ୪ ମାସ ମଧ୍ୟରେ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ତଥା ସମସ୍ତ ଶିକ୍ଷାନୁଷ୍ଠାନରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ରାଜସ୍ଥାନ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ସେମାନଙ୍କୁ ସମାଜର ପଛୁଆ ବର୍ଗରେ ସାମିଲ୍‌ କରିବା ସହିତ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ କୋର୍ଟ କହିଛନ୍ତି।

ବିଚାରପତି ମନିନ୍ଦ୍ର ମୋହନ ଶ୍ରୀବାସ୍ତବ ଏବଂ ମଦନ ଗୋପାଳ ବ୍ୟାସଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏସମ୍ପର୍କିତ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥି ପାଇଁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ୪ ମାସର ସମୟ ଦେଇଛନ୍ତି। ଗଙ୍ଗା କୁମାରୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ପିଟିଶନର ବିଚାର କରି କୋର୍ଟ ଏଭଳି କହିଛନ୍ତି। ଆବେଦନରେ ଜାତୀୟ ଆଇନ ସେବା ପ୍ରାଧିକରଣ ବନାମ ଭାରତ ସଂଘ ଏବଂ ଅନ୍ୟ ମାମଲା ଅନ୍ତର୍ଗତ ସୁପ୍ରିମ୍‌କୋର୍ଟଙ୍କ ଜନାଦେଶ ସନ୍ଦର୍ଭରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସଂରକ୍ଷଣ ଦାବି ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା।

ରାଜ୍ୟ ପକ୍ଷରୁ ଏହି ପିଟିଶନ୍‌ର ବିରୋଧ କରାଯାଇ କୁହାଯାଇଥିଲା ଯେ, ଏହା ରାଜ୍ୟର ବିଶେଷ ଅଧିକାରର ମାମଲା। କିପରି ଏବଂ କେଉଁ ସୀମା ପର୍ଯ୍ୟନ୍ତ ସ୍ଥାନ ସଂରକ୍ଷଣ ସୁବିଧା ଯୋଗାଇ ଦିଆଯିବ ତାହା ରାଜ୍ୟ ସ୍ଥିର କରିବେ। ଏପରିସ୍ଥଳେ ଆବେଦନକାରୀ ବିଶେଷ ଭାବେ ସଂରକ୍ଷଣ ଦାବି କରିପାରିବେ ନାହିଁ।

ଖଣ୍ଡପୀଠ ଏଥିରେ ଅସହମତି ପ୍ରକାଶ କରିବା ସହିତ ଶୀର୍ଷକୋର୍ଟ ଏଭଳି ନିର୍ଦ୍ଦେଶ ଜାରି କରିଥିବାରୁ ରାଜ୍ୟ ସରକାରଙ୍କ ନିକଟରେ ଏହାକୁ ଲାଗୁ କରାଯିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ଏନେଇ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ତେବେ ରାଜ୍ୟ ସରକାର ସଂରକ୍ଷଣ ସୀମା ପ୍ରାସଙ୍ଗିକ ଆଧାର ଅନୁସାରେ ଲାଗୁ କରିବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି।

Share