୩ ନୂତନ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ରାଇରଙ୍ଗପୁର
(ମାନସ ମହାନ୍ତି),୨୨।୧୧:ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ରାଇରଙ୍ଗପୁର ଉପଖଣ୍ଡ ଅଧୀନ ଜନ୍ମ ଓ କର୍ମଭୂମିରେ ୩ ନୂତନ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ ସାଙ୍ଗକୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ର, ବାଦାମପାହାଡ଼ ଅମୃତ ରେଳଷ୍ଟେଶନ ଓ ରାଇରଙ୍ଗପୁର ଡାକଘରର ଶୁଭ ଉଦ୍‌ଘାଟନ କରିଛନ୍ତି। ଶେଷରେ ସାଲିମାର-ବାଦାମପାହାଡ଼ ନୂତନ ଟ୍ରେନ୍‌ରେ ଯାତ୍ରାକରି ରାଇରଙ୍ଗପୁରକୁ ଫେରିଥିଲେ।
ମଙ୍ଗଳବାର ସକାଳ ୮ଟା ୧୫ରେ ରାଷ୍ଟ୍ରପତି ରାଇରଙ୍ଗପୁରସ୍ଥିତ ବାସଭବନରୁ ବାହାରି ଶାଶୁଘର ଗାଁ ପାହାଡ଼ପୁରକୁ ଯାଇଥିଲେ। ସେଠାରେ ଦିବଂଗତ ସ୍ବାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରୟାସ ଟ୍ରଷ୍ଟର ସହଯୋଗରେ ଏଲ୍‌ ଆଣ୍ଡ ଟି କମ୍ପାନୀ ଦ୍ୱାରା ନବନିର୍ମିତ ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଟ୍ରଷ୍ଟ ଦ୍ୱାରା ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ନିମନ୍ତେ ‘ସହଯୋଗୀ ବାହାନ’ ଭ୍ୟାନ୍‌ର ଶୁଭ ଉଦ୍‌ଘାଟନ କରି ଟ୍ରଷ୍ଟ ସଭାପତି ମୀନା ସୁବ୍ରମନ୍ୟମଙ୍କ ଦ୍ୱାରା ବିଦ୍ୟାଳୟକୁ ହସ୍ତାନ୍ତର କରିଥିଲେ। ରାଜ୍ୟପାଳ ରଘୁବର ଦାସ, ଜିଲାପାଳ ବିନୀତ ଭରଦ୍ୱାଜଙ୍କ ସମେତ ରାଷ୍ଟ୍ରପତି ଭବନର ଅଧିକାରୀମାନେ ଉପସ୍ଥିତ ଥିଲେ। ସେଠାରୁ ବାହାରି ବାଦାମପାହାଡ଼ ରେଳଷ୍ଟେଶନରେ ପହଞ୍ଚତ୍ ୩ ନୂତନ ଟ୍ରେନ୍‌ର ଶୁଭାରମ୍ଭ କରିଥିଲେ। ଟାଟାନଗର-ବାଦାମପାହାଡ଼ ମେମୁ ଟ୍ରେନ୍‌, ବାଦାମପାହାଡ଼ -ରାଉରକେଲା ଏକ୍ସପ୍ରେସ, ସାଲିମାର-ବାଦାମପାହାଡ଼ ସାପ୍ତାହିକ ଟ୍ରେନ୍‌ ଓ ଅମୃତ ରେଳଷ୍ଟେଶନର ଉଦ୍‌ଘାଟନ କରିଥିଲେ। ପରେ ରାଇରଙ୍ଗପୁରରେ ଏକ ନୂତନ ଡାକଘର ଉଦ୍‌ଘାଟନ ସହ ଡାକ ବିଭାଗର ସ୍ବତନ୍ତ୍ର ସ୍ମାରକୀ ଲଫାପା ଉନ୍ମୋଚନ କରିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ଖୁବ୍‌ ଶୀଘ୍ର ଆଉ ୪ ନୂଆ ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇଂ. ବିଶ୍ୱେଶ୍ୱର ଟୁଡୁ, ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।