ଜଳବନ୍ଦୀ ଜୀବନ ବିତାଉଛନ୍ତି ୬ ଗ୍ରାମର ବାସିନ୍ଦା

ଦଶମନ୍ତପୁର,୨୨ା୭ (ଅରବିନ୍ଦ ନାୟକ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତର ବାଲିଗୁଡ଼ା, ବଡ଼କଙ୍କଡ଼ାପୁଟ, ସାନକଙ୍କଡ଼ାପୁଟ, ବାଲିଗୁଡ଼ା, ଡଙ୍ଗାୟତ ଫୁଟ, ଡୁମ୍ବାଗୁଡ଼ା ଆଦି ୬ଟି ଗ୍ରାମର ଲୋକେ ମୁରାନ ନଦୀ ଯୋଗୁ ଜଳବନ୍ଦୀ ଜୀବନ ବିତାଉଛନ୍ତି। ବାଲିଗୁଡା ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ପୋଡୁଚାଷ ସେମାନଙ୍କ ମୁଖ୍ୟ ଜୀବିକା। ମାତ୍ର ଗ୍ରାମ ଦେଇ ପ୍ରବାହିତ ମୁରାନ ନଦୀ ସେମାନଙ୍କ ଉନ୍ନତିରେ ପ୍ରତିବନ୍ଧକ ସାଜିଛି ବୋଲି କହନ୍ତି ଗ୍ରାମର ନିରା ଗୋଲରି, ଚନ୍ଦ୍ର ଭୋଇ, ମୋହନ ଜାନି, ଅନ୍ତି ଜାନି ଓ ଗୁଲା ମୁଦୁଲି। ପଞ୍ଚାୟତଠାରୁ ୪ କି.ମି. ଦୂରରେ ଥିବା ଏହି ଗ୍ରାମର ଲୋକମାନେ ନଦୀ ଯୋଗୁ ଶିକ୍ଷା, ସ୍ବାସ୍ଥ୍ୟସେବାଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ଯୋଜନାରୁ ସୁଫଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ରାଶନ ଚାଉଳ ଆଣିବାକୁ ପଞ୍ଚାୟତକୁ ହେଉ ଅବା ଯେକୌଣସି କାର୍ଯ୍ୟରେ ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ହେଲେ ସେମାନେ ନିଜ ଜୀବନ ବାଜି ଲଗାଇ ନଦୀପାର ହୋଇ ଯାଇଥାନ୍ତି ବୋଲି କହିଛନ୍ତି। ଗ୍ରାମରେ କେହି ରୋଗରେ ପୀଡ଼ିତ ହେଲେ ତାଙ୍କୁ ନଦୀ ପାରକରି ଡାକ୍ତରଖାନା ନେବା କଷ୍ଟକର ହୋଇଥାଏ। ନଦୀ ଉପରେ ଯଦି ପୋଲଟିଏ ନିର୍ମାଣ ହୁଅନ୍ତା ତେବେ ଉପରୋକ୍ତ ୬ଟି ଗ୍ରାମର ଲୋକେ ଉପକୃତ ହୁଅନ୍ତେ। ସେମାନଙ୍କୁ ଜଳବନ୍ଦୀ ଜୀବନରୁ ମୁକ୍ତି ମିଳନ୍ତା ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ। ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି।

Share