ନୂଆଁ ଖାଇଲେ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳବାସୀ

ଭବାନୀପାଟଣା,୧୪ା୯ (ଉତ୍ତମ କୁମାର ଦାଶ):ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ସପ୍ତମୀ ତିଥିରେ ନୂଆଁଖାଇ ପାଳନ ହେଉଥିବାବେଳେ ଏଠାରେ ପ୍ରତିପଦାଠାରୁ ଆରମ୍ଭକରି ଦଶହରା ଦଶମୀ ପର୍ଯ୍ୟନ୍ତ ଚାଲିଥାଏ। ଶୁକ୍ରବାର ଜିଲାର ଗଡ଼ଜାତ ଅଞ୍ଚଳରେ ପାଳନ ହୋଇଛି ଗଣପର୍ବ ନୂଆଁଖାଇ। ଜିଲାର ଅଧିଷ୍ଠାତ୍ରୀ ଦେବୀ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କଠାରେ ସକାଳ ୮ଟା ୨୫ରୁ ୯ଟା ୧୫ ମଧ୍ୟରେ ବିଧି ଅନୁଯାୟୀ ନବାନ୍ନ ଲାଗିଥିଲା। ଦିନ ୯ଟାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲାଯାଇଥିଲା। ମା’ଙ୍କ ନିକଟରେ ନବାନ୍ନ ଲାଗିବା ପରେ ଜିଲାର ଗଡ଼ଜାତ ଅଞ୍ଚଳ ଭବାନୀପାଟଣା ସମେତ ଲାଞ୍ଜିଗଡ଼, ଜୟପାଟଣା, ମହୁଲପାଟଣା, କର୍ଲାପାଟ, ଏମ୍‌. ରାମପୁର ଓ ମାଣିକେଶ୍ୱରୀଙ୍କ ମୂଳପୀଠ ଥୁଆମୂଳ ରାମପୁରରେ ପାଳିତ ହୋଇଥିଲା ନୂଆଁଖାଇ ପର୍ବ। ଏହି ସମୟରେ ନିଜ ପରିବାର ସହ ଏକତ୍ରିତ ହୋଇ କୋରେଇ ପତ୍ରରେ ନୂଆଧାନରେ ପ୍ରସ୍ତୁତ ଖିରି, ପିଠା ଖାଇଥିଲେ ଗଡ଼ଜାତବାସୀ। ପରେ ଜୁହାର ଭେଟ କାର୍ଯ୍ୟକ୍ରମ ହୋଇଥିଲା। ବଡ଼ମାନଙ୍କୁ ମୁଣ୍ଡିଆ ମାରି ସାନମାନେ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଭବାନୀପାଟଣାରେ ନିଜ ପରିବାର ସହ ନୂଆଁଖାଇରେ ସାମିଲ ହୋଇଥିଲେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର।