ନାକ୍‌ ଟିମ୍‌କୁ ସମସ୍ୟା ଜଣାଇବେ ଭିଏସ୍‌ଏସ୍‌ ନଗରବାସୀ

ଭୁବନେଶ୍ୱର,୨୮।୮(ଅନୁରାଧା ମହାରଣା): ଆସନ୍ତା ସେପ୍ଟେମ୍ବରରେ ନାକ୍‌ ଟିମ୍‌ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସିବେ ବୋଲି ସୂଚନା ମିଳିଛି। ତେବେ ନାକ୍‌ ଟିମ୍‌କୁ ଭେଟି ବୀର ସୁରେନ୍ଦ୍ର ସାଏ(ଭିଏସ୍‌ଏସ୍‌) ନଗରବାସୀ ସମସ୍ୟା ଜଣାଇବେ ବୋଲି କହିଛନ୍ତି। ପ୍ରାୟ ୩୯୨ ଏକର ଜମିରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର, ଅଭିଭାବକ, ଅଧ୍ୟାପକ, କର୍ମଚାରୀ ଓ ଆଲୁମିନିଙ୍କ ଯାତାୟାତ ସୁବିଧା ପାଇଁ ତିନୋଟି ପ୍ରମୁଖ ଫାଟକ ରହିଥିଲା। ଉକ୍ତ ଫାଟକ ଦେଇ ୪୫ ବର୍ଷ ଧରି ଯିବା ଆସିବା ହେଉଥିଲା। ମାତ୍ର କୌଣସି କାରଣ ନ ଥାଇ ୨୦୨୨ ମେ ୧୫ରେ ବିଶ୍ୱବିଦ୍ୟାଳୟ ରେଜିଷ୍ଟାର ଭିଏସ୍‌ଏସ୍‌ ନଗର ପାର୍ଶ୍ୱରେ ଥିବା ୩ ନମ୍ବର ଗେଟ୍‌କୁ ରବିବାର ଓ ଛୁଟି ଦିନରେ ବନ୍ଦ ରହିବ ବୋଲି ଏକ ନୋଟିସ ଗେଟ୍‌ରେ ଲଗାଇ ଦେଲେ। ଏହାର ସପ୍ତାହକ ମଧ୍ୟରେ ଗେଟ ବନ୍ଦ କରି ଏକ ବିରାଟ ପାଚେରି ନିର୍ମାଣ କରିଦିଆଯାଇଥିଲା। ଫଳରେ ବିଶ୍ୱବିଦ୍ୟାଳୟ ଓ ଏହା ଭିତରେ ଥିବା ସ୍କୁଲକୁ ଯିବାକୁ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଏବେ ୫ କିଲୋମିଟର ବୁଲି ବୁଲି ଯାଉଛନ୍ତି। ଜାତୀୟ ରାଜପଥରେ ଯିବାକୁ ପଡୁଥିବାରୁ ଦୁର୍ଘଟଣା ବି ଘଟୁଛି ବୋଲି ଅଞ୍ଚଳବାସୀ କହିଛନ୍ତି। ଅନ୍ୟପଟେ ୧୯୯୨ ମସିହାରୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଭିଏସ୍‌ଏସ୍‌ ନଗରବାସୀଙ୍କ ସହ ୫ ଖଣ୍ଡ ମଉଜାବାସୀଙ୍କ ପାଇଁ ଏକ ରାସ୍ତା ସିଡିପି ପ୍ଲାନ୍‌ରେ ରଖିଥିଲେ। ସେହି ରାସ୍ତା ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ଜବର ଦଖଲ କରି ରଖିଥିବା ଅଭିଯୋଗ ହୋଇଛି। ଏହାକୁ ଛାଡିବା ପାଇଁ ରାଜ୍ୟ ସରକାର ଡିମାର୍କେଶନ କରି ବିଶ୍ୱବିଦ୍ୟାଳୟକୁ ପତ୍ର ଦେଇଥିଲେ ମଧ୍ୟ ଦୁଇ ମାସ ହେଲା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଲୁଚକାଳି ଖେଳୁଛନ୍ତି ା ଏ ସମସ୍ତ ସମସ୍ୟା ସମାଧାନ ପାଇଁ ଆସନ୍ତା ମାସରେ ଆସିବାକୁ ଥିବା ନାକ୍‌ ଟିମକୁ ସାକ୍ଷାତ ପାଇଁ ନଗରବାସୀ ପ୍ରସ୍ତୁତ ହେଉଛନ୍ତି ବୋଲି ଭିଏସ୍‌ଏସ୍‌ ନଗର ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଅଧିବକ୍ତା ଦିଲୀପ ଦାଶଶର୍ମା ସୂଚନା ଦେଇଛନ୍ତି।

Share