ବିଦ୍ୟୁତ୍‌ କାଟ୍‌ ନେଇ ଏସ୍‌.ଡି.ଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ଅଧିବାସୀ

କେସିଙ୍ଗା,୧୫।୬(ତୁମେଶ୍ୱର ସାହୁ) ବାରମ୍ବାର ବିଦ୍ୟୁତ୍‌ କାଟ୍‌କୁ ନେଇ କଳାହାଣ୍ଡି ଜଲା କେସିଙ୍ଗା ସହରରେ ଅବସ୍ଥିତ ଏସ୍‌.ଡି.ଓ (ବିଦ୍ୟୁତ)ଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ନେତୃତ୍ୱରେ ଗୁରୁବାର ଘେରାଉ କରାଯାଇ ଥିଲା। ବ୍ଲକର ସମଗ୍ର ୨୬ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ହୋଇ ଥିଲେ ମଧ୍ୟ ପାଖାପାଖି ୧ ଲକ୍ଷ ୩୦ ହଜାର ଲୋକ ବସବାସ କରୁଛନ୍ତି। କଳାହାଣ୍ଡିର ଇଲେକ୍ଟ୍ରି ହାଣ୍ଡି କେସିଙ୍ଗାକୁ ବୁଝାଏ। କିନ୍ତୁ ଦୀପ ତଳ ଅନ୍ଧାର ସଦୃଶ୍ୟ କେସିଙ୍ଗା ଆଖ ପାଖ ଗାଁରେ ପ୍ରତିଦିନ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ହେବା ଦ୍ୱାରା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଲୋକମାନେ ନାହି ନ ଥିବାର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଗତ ଦୁଇ ଦିନ ତଳେ କେସିଙ୍ଗାକୁ ହାତୀ ଆସିଛି ବୋଲି କହି ରାତି ଯାକ ଲାଇନ କଟାଯାଇ ଥିଲା। ବୁଧବାର ଅପରାହ୍ନ ୫ ଟାରୁ କେସିଙ୍ଗା ଆଖ ପାଖ ଗାଁ ଗୁଡିକରେ ବିଦ୍ୟୁତ କାଟ କରାଯାଇଥିଲା ଯେ ଗୁରୁବାର ଦିନ ୧୦ଟାରେ ଲାଇନ ଆସିଲା ବୋଲି ନିଜେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଅଭିଯୋଗ କରିଛନ୍ତି। ଗୁରୁବାର ଅଞ୍ଚଳର ସମସ୍ତ ସରପଞ୍ଚ ସମିତି ସଭ୍ୟ ତଥା ଅଞ୍ଚଳର ବୁଦ୍ଧିଜୀବୀ ମାନେ କେସିଙ୍ଗା ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଆସିଥିବା ବେଳେ କାର୍ଯ୍ୟାଳୟରେ ରଜ ଛୁଟି ଥିବାରୁ କୌଣସି ଅଧିକାରୀ ଉପସ୍ଥିତ ନ ଥିଲେ। ତେଣୁ ଫୋନ ଯୋଗେ ଯୋଗାଯୋଗ କରି ସମସ୍ୟା ବିଷୟରେ ଅବଗତ କରାଯାଇ ଥିଲା। ଏସ.ଡ. ଓ ଦୀକ୍ଷିତ ବାବୁ ଆସନ୍ତା ମଙ୍ଗବାର ଦିନ ସମସ୍ତ ଜେଇ ମାନଙ୍କୁ ଡାକି ସମସ୍ୟାର ସମାଧାନ କରିବେ ବୋଲି ସମସ୍ତ ଆନ୍ଦୋଳନକାରୀମାନଙ୍କୁ ଆଶ୍ୱସନା ଦେଇଛନ୍ତି। ପରେ ନେତୃତ୍ୱ ନେଇଥିବା ବ୍ଲକ ଅଧ୍ୟକ୍ଷ ଚନ୍ଦନ ମଙ୍ଗବାର ଦିନ ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନରେ ହଜାର ହଜାର ସଂଖ୍ୟାରେ ଉପଭୋକ୍ତାମାନେ ଆସି ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଏହି ଘେରାଉ କାର୍ଯ୍ୟକ୍ରମରେ ଚାଞ୍ଚେର ସରପଞ୍ଚ ଅଞ୍ଜୁ ନାଗ,କସୃପଡା ସରପଞ୍ଚ ଲଳିତା ଭୋଇ, ଯୁବ ସଂଗଠକ ସୁରେଶ ରାଓ, ଗଣମାଧ୍ୟମ ପ୍ରତିନିଧି, ସମିତି ସଭ୍ୟ, ସୁରେଶ ମହାନନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ।