ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ ଏକ ଧର୍ମାନ୍ତରୀକରଣ ଉତ୍ସବରେ ଯୋଗଦେଇ ବିବାଦ ଘେରକୁ ଆସିଥିବା ଅରବିନ୍ଦ କେଜ୍ରିଓ୍ବାଲ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ୍ ଗୌତମ ରବିବାର ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଧର୍ମାନ୍ତରୀକରଣ ଉତ୍ସବରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରାଯାଉଥିବାବେଳେ ଆମ୍ ଆଦ୍ମୀ ପାର୍ଟି ମନ୍ତ୍ରୀ ମଞ୍ଚରେ ଉପସ୍ଥିତ ଥିଲେ। ଉକ୍ତ ଉତ୍ସବରେ ଶହ ଶହ ଲୋକ ଯୋଗଦେଇ ବୌଦ୍ଧ ଧର୍ମ ଗ୍ରହଣ କରିବାକୁ ଶପଥ ନେବା ସହ ସେମାନେ ହିନ୍ଦୁ ଦେବଦେବୀଙ୍କୁ ଈଶ୍ୱର ମାନନ୍ତି ନାହିଁ ବୋଲି କହିଥିଲେ। ଉକ୍ତ ଉତ୍ସବର ଭିଡିଓ ଭାଇରାଲ ହେବା ପରେ ଭାଜପା ପକ୍ଷରୁ ଜୋର୍ଦାର ପ୍ରତିବାଦ କରାଯାଇଥିଲା। ଭାଜପା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିବା ସହ ତୁରନ୍ତ ମନ୍ତ୍ରୀ ଗୌତମଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲା। କେଜ୍ରିଓ୍ବାଲ ହିନ୍ଦୁ ବିରୋଧୀ ବୋଲି ଶନିବାର ଗୁଜରାଟର ବଡୋଦରା ରାଲି ସ୍ଥଳରେ ପୋଷ୍ଟର ଲଗାଯାଇଥିଲା।