ନୂଆଦିଲ୍ଲୀ,୧୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ବୋଲି ପ୍ରଶ୍ନ ଉଠୁଛି। ସେପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରିବା ପାଇଁ ଦାବି ପୁଣି ଜୋର ଧରିଛି। ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭାବେ ମନୋନୀତ କରିବା ପାଇଁ ଅନେକ ରାଜ୍ୟ ପ୍ରସ୍ତାବ ପାରିତ କରିଛନ୍ତି। ଇତିମଧ୍ୟରେ ମହାରାଷ୍ଟ୍ରରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷ ପ୍ରସ୍ତାବକୁ ସମର୍ଥନ କରାଯାଇଛି। ମହାରାଷ୍ଟ୍ର କଂଗ୍ରେସର ବୈଠକରେ ସୋମବାର ଦୁଇଟି ସଂକଳ୍ପ ପାରିତ ହୋଇଛି। ପ୍ରଥମ ସଂକଳ୍ପ ହେଉଛି, କଂଗ୍ରେସ ଅଧ୍ୟକ୍ଷଙ୍କୁ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ତଥା ରାଜ୍ୟ କାର୍ଯ୍ୟକାରିଣୀ ନିଷ୍ପତ୍ତି ନେବାର ଅଧିକାର ରହିବ। ଦ୍ୱିତୀୟଟି ହେଉଛି, ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ଉଚିତ୍। ସୂଚନାଯୋଗ୍ୟ, ଏହାପୂର୍ବରୁ ଗୁଜୁରାଟ, ଛତିଶଗଡ ଏବଂ ରାଜସ୍ଥାନରେ ରାହୁଲଙ୍କୁ ଦଳର ମୁଖ୍ୟ ଭାବେ ଗ୍ରହଣ କରିବାକୁ ସମର୍ଥନ କରି ଏକ ପ୍ରସ୍ତାବ ପାରିତ କରାଯାଇଥିଲା। ଏଥିସହ ଜମ୍ମୁ-କଶ୍ମୀର, ମହାରାଷ୍ଟ୍ର, ତାମିଲନାଡୁର କଂଗ୍ରେସ ୟୁନିଟରେ ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଛି। ସୋମବାର ଜମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ କମିଟିର ସଭାପତି ୱାକର ରସୁଲଙ୍କୁ ରାହୁଲ ଗାନ୍ଧୀଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ କରିବା ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା।