ଜାତିସଂଘରୁ ବାଦ ପଡ଼ିଲା ରୁଷିଆ: ଭୋଟରୁ ନିବୃତ ରହିଲା ଭାରତ

ଜେନେଭା,୭।୪: ୟୁକେନ-ରୁଷିଆ ଯୁଦ୍ଧ ମଧ୍ୟରେ ମସ୍କୋକୁ ଏକ ବଡ଼ ଝଟ୍‌କା ଲାଗିଛି। ଗୁରୁବାର ମିଳିତ ଜାତିସଂଘର ମାନବ ଅଧିକାର ପରିଷଦ(ୟୁଏନ୍‌ଏଚ୍‌ଆର୍‌ସି)ରେ ଅନୁଷ୍ଠିତ ହୋଇଥିବା ଭୋଟିଂ ପ୍ରକ୍ରିଆରେ ରୁଷିଆ ବିରୋଧରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଜାତିସଂଘରେ ରୁଷିଆକୁ ବହିଷ୍କାର କରିବା ସଂକଳ୍ପ ମିଳିତ ଜାତିସଂଘର ସାଧାରଣ ସଭା(ୟୁଏନ୍‌ଜିଏ) ଦ୍ୱାରା ପାରିତ ହୋଇଛି। ରୁଷିଆକୁ ଜାତିସଂଘରୁ ନିଲମ୍ବିତ କରାଯାଇଛି। ତେବେ ପୁଣି ଥରେ ଭାରତ ଏହି ଭୋଟିଂ ପ୍ରକ୍ରିଆରୁ ନିବୃତ ରହିଛି। ଭାରତ ସମେତ ୫୮ ଦେଶ ଏହି ଭୋଟିଂରେ ଅଂଶ ଗ୍ରହଣ କରି ନ ଥିବା ଜଣାପଡ଼ିଛି। ରୁଷିଆ ବିରୋଧରେ ୯୩ଭୋଟ ପଡ଼ିଥିବା ବେଳେ ୨୪ଟି ଦେଶ ଏହା ସପକ୍ଷରେ ମତଦାନ କରିଥିଲେ। ସୂଚନା ମୁତାବକ, ରୁଷିଆ ବିରୋଧରେ ଆମେରିକା ଏହି ପ୍ରସ୍ତାବ ଆଣିଥିଲା। ୟୁକ୍ରେନର ରାଜଧାନୀ କ୍ୱିଭ୍‌ର ବୁଚା ସହରରେ ସାଧାରଣ ନାଗରିକଙ୍କ ଭୟଙ୍କର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ-ଗ୍ରୀନଫିଲ୍ଡ ୟୁଏନ୍‌ଜିଏରେ ଏକ ସ୍ବତନ୍ତ୍ର ବୈଠକ ଡକାଇଥିଲେ। ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସମୟରେ ଜାତିସଂଘ ସୁରକ୍ଷା ପରିଷଦ, ସାଧାରଣ ସଭା ଏବଂ ମାନବ ଅଧିକାର ପରିଷଦରେ ବିଭିନ୍ନ ସମୟରେ ଆମେରିକା, ବ୍ରିଟେନ ଏବଂ ୟୁରୋପୀୟ ଦେଶମାନେ ମସ୍କୋ ବିରୁଦ୍ଧରେ ୧୦ଟି ସଂକଳ୍ପ ଉପସ୍ଥାପନ କରାଯାଇଛି। କିନ୍ତୁ ଏହି ସମସ୍ତ ସଂକଳ୍ପ ଉପରେ ଭୋଟିଂ ସମୟରେ ଭାରତ ନିଜକୁ ଦୂରେଇ ରଖିଛି।

Share