କଟକ ଅଫିସ, ୨୬ା୪:ହାଇକୋର୍ଟରେ ସୋମବାର ନାଲ୍କୋ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟରେ କୋଇଲା ସଙ୍କଟ ମାମଲାର ଶୁଣାଣି ହୋଇଛି। ପ୍ଲାଣ୍ଟରେ କୋଇଲା ସଙ୍କଟ କିପରି ଦୂର ହୋଇପାରିବ ଓ ସୁରୁଖୁରୁରେ ପ୍ଲାଣ୍ଟ ପରିଚାଳନା କରାଯାଇପାରିବ ସେନେଇ କେନ୍ଦ୍ର କୋଇଲା ସଚିବ, ଖଣି ସଚିବ, ଶକ୍ତି ସଚିବ, ରେଳ ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ମହାନଦୀ କୋଲଡ୍ ଫିଲ୍ଡସ (ଏମ୍ସିଏଲ୍) ସିଏମ୍ଡି ଏବଂ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ (ନାଲ୍କୋ) ସିଏମ୍ଡି ମିଳିତ ଭାବେ ଆଲୋଚନା କରିବେ। ଆସନ୍ତା ୨୬ ତାରିଖରେ ଏହି ଆଲୋଚନା ହେବ। ଆଲୋଚନାର ବିସ୍ତୃତ ତଥ୍ୟକୁ ଅତିରିକ୍ତ ସଲିସିଟର ଜେନେରାଲ ପରବର୍ତ୍ତୀ ଶୁଣାଣି ବେଳେ ହାଇକୋର୍ଟରେ ଉପସ୍ଥାପନ କରିବେ। ସୋମବାର ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ଏବଂ ବିଚାରପତି ଆର୍. କେ. ପଟ୍ଟନାୟକ ଏହି ମାମଲାର ଶୁଣାଣି କରି ଉପରୋକ୍ତ ଆଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ ହେବ।
ସୂଚନା ଅନୁଯାୟୀ, ନାଲ୍କୋ ଅଫିସର୍ସ ଆସୋସିଏଶନ ପକ୍ଷରୁ ଶୁକ୍ରବାର ରୁଜୁ ମାମଲାରେ ଦର୍ଶାଯାଇଥିଲା ଯେ, ନାଲ୍କୋ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ପାଇଁ ପ୍ରତିଦିନ ୧୮ ହଜାର ମେଟ୍ରିକ ଟନ କୋଇଲା ଆବଶ୍ୟକ। କିନ୍ତୁ ଏବେ ଏମ୍ସିଏଲ୍ ପକ୍ଷରୁ ଦୈନିକ ୫ ହଜାର ମେଟ୍ରିକ ଟନ କୋଇଲା ଯୋଗାଣ ହେଉଛି। ଫଳରେ ନାଲ୍କୋ ବନ୍ଦ ହୋଇଯିବା ନେଇ ଆଶଙ୍କା ଉପୁଜିଥିବା ଆବେଦନକାରୀମାନେ ଉଲ୍ଲେଖ କରିଥିଲେ। ଏହି ମାମଲାରେ ଶୁକ୍ରବାର ହାଇକୋର୍ଟ ହସ୍ତକ୍ଷେପ କରି ନାଲ୍କୋକୁ ପୂର୍ବତଟ ରେଲଓ୍ବ ୪ଟି ରେକ୍ କୋଇଲା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ନାଲ୍କୋ ପକ୍ଷରୁ ଅନୁରୋଧ କରାଯାଏ, ତା’ହେଲେ ପୂର୍ବତଟ ରେଲଓ୍ବେ ଏହାକୁ ପ୍ରାଥମିକତା ଦେବାକୁ କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଥିଲେ। ଏମ୍ସିଏଲ୍ ପ୍ରତିଦିନ ଭରତପୁରସ୍ଥିତ ମାଇନ୍ସରୁ ୪ଟି ରେକ୍ କୋଇଲା ଆଣି ନାଲ୍କୋର ଅନୁଗୋଳ ପ୍ଲାଣ୍ଟରେ ପହଞ୍ଚାଇବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ଉଲ୍ଲେଖ କରିଥିଲେ। ଏଥିସହ ଏହି ମାମଲାରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ, ନାଲ୍କୋ ଏବଂ ଏମ୍ସିଏଲ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଥିଲେ।