ନାରୀଙ୍କୁ ସମ୍ମାନ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ

ସୋନପୁର,୨୩।୨(ନି.ପ୍ର.)
ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଅଧିକାର ଦିଆଯାଇଛି। ଯେଉଁଠି ଜାତି, ଧର୍ମ, ବର୍ଣ୍ଣ ବା ଲିଙ୍ଗର କୌଣସି ପ୍ରଭେଦ ନଥାଏ। କିନ୍ତୁ ନାରୀମାନଙ୍କ ପ୍ରତି ଏବେ ବି ଅଣଦେଖା କରାଯାଉଛି । ସେମାନେ ନିର୍ଯାତନାର ଶିକାର ହେଉଛନ୍ତି। ଏଣୁ ନାରୀମାନଙ୍କୁ ସମ୍ମାନ ଦେବା, ସେମାନଙ୍କୁ ସବୁ କାର୍ଯ୍ୟରେ ଯୋଗଦାନ କରିବାର ଅଧିକାର ଦେବା ଆମ ସମାଜର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ ବୋଲି ଓଡିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡକ୍ଟର ମିନତି ବେହେରା ମତପ୍ରକାଶ କରିଛନ୍ତି। ରାଜ୍ୟ ମହିଳା ଆୟୋଗଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ସହଯୋଗରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଆଇନ ସଚେତନତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆୟୋଗର ଅଧ୍ୟକ୍ଷା ଡ. ବେହେରା ଯୋଗଦେଇ ଗୋଟିଏ ମା ଶିକ୍ଷିତା ହେଲେ, ପରିବାର ଶିକ୍ଷିତା ହୁଏ। ମାଆଟିଏ ପରିବାରକୁ ଶୃଙ୍ଖଳିତ କରି ଗଢେ ବୋଲି କହିଥିଲେ।
ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ସମାଜରେ ମହିଳାମାନଙ୍କର ସୁରକ୍ଷା ଓ ନିରାପତ୍ତା ଏକ ସୁସ୍ଥ ଓ ବିକାଶଶୀଳ ରାଷ୍ଟ୍ରର ପ୍ରତୀକ ବୋଲି ମତପ୍ରକାଶ କରିଥିଲେ। ଜିଲାପାଳ ମୋନିଷା ବାନାର୍ଜି ତାଙ୍କ ବକ୍ତବ୍ୟରେ ଶିକ୍ଷା ସଭ୍ୟତା ଆଗକୁ ବଢିବା ସହିତ ନାରୀମାନେ ବେଶ ଦକ୍ଷତାର ସହିତ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସାରିଲେଣି ବୋଲି କହିଥିଲେ। ଏସ୍‌ପି ସୀତାରାମ ଶତପଥୀ କହିଥିଲେ, କୌଣସି ନା କୌଣସି କ୍ଷେତ୍ରରେ ନାରୀ ନିର୍ଯାତନାର ଶିକାର ହେଉଛି। ନାରୀ ଆଇନ ବିଷୟରେ ସଚେତନ ହେବା ସହିତ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆୟୋଗର ସଦସ୍ୟା ଜଲିନା ପ୍ରିୟଦର୍ଶନୀ ମହିଳାମାନଙ୍କର ସଶକ୍ତୀକରଣ, ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ୱ ଦେଇଥିଲେ। ଜିଲା ସମାଜ ମଙ୍ଗଳ ଅଧିକାରୀ ଅସ୍ତେରିଆ କେର୍କେଟା ସ୍ବାଗତ ଭାଷଣ କରିଥିଲେ । ବୈଷୟିକ ପର୍ଯ୍ୟାୟରେ ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିର୍ଯାତନା, ହିନ୍ଦୁ ବିବାହ ଆଇନ, ସାଇବର ଅପରାଧ, ପାରିବାରିକ ହିଂସା, ଯୌତୁକ ନିର୍ଯାତନା ନିରୋଧ ଆଇନ, କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ଓ ନାରୀ ସମ୍ବନ୍ଧୀୟ ଅଧିକାରର ଉଲ୍ଲଘଂନ ହେଲେ ନ୍ୟାୟ ପ୍ରଦାନ ଓ ଆୟୋଗର କାର୍ଯ୍ୟ ସମ୍ପର୍କରେ ଏକ୍ସନ ଏଡ୍‌ର ଘାସିରାମ ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ ବରଓ୍ବା, ଡ. ମିନତି ବେହେରା, ସ୍ନେହାଞ୍ଜଳି ମହାନ୍ତି ଓ ଜଲିନା ପ୍ରିୟଦର୍ଶନୀ ଉପସ୍ଥିତ ମହିଳାମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ୧୨ଜଣ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା।

Share