Categories: ଖେଳ

ଇତିହାସ ରଚିଲେ ଗେଲ୍‌: ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଟି-୨୦ରେ କଲେ ବିଶ୍ୱରେକର୍ଡ

ସେଣ୍ଟ ଲୁସିଆ,୧୩।୭: ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି -୨୦ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି। ସେ ଅଷ୍ଟ୍ରେଲୀୟ ବୋଲରମାନଙ୍କୁ ପ୍ରହାର କରିଥିଲେ। ମ୍ୟାଚ୍‌ର ୯ମ ଓଭରରେ ୟୁନିଭର୍ସ ବସ କୁହାଯାଉଥିବା ଗେଲ୍‌ ଆଦାମ ଜାମ୍ପାଙ୍କ ବଲରୁ ଏକ ଛକା ମାରିଥିଲେ ଏବଂ ଏହି ବଡ ସଟ ଦ୍ୱାରା ସେ ତାଙ୍କର ଟି -୨୦ ୧୪ ହଜାର ରନ ସମାପ୍ତ କରିଥିଲେ। ସେ ଏହା କରିବାରେ ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ଏହି ମ୍ୟାଚର ଦ୍ୱିତୀୟ ଓଭରରେ ଜୋଶ ହେଜଲଉଡଙ୍କ ରର ଶେଷ ଚାରିଟି ବଲରେ ସେ ୧୮ ରନ ଯୋଡିଥିଲେ। ଗେଲ ଶେଷ ଚାରିଟି ବଲକୁ ୬,୪, ୪,୪ ମାରିଥିଲେ। କ୍ରିସ ଗେଲ ଆଦାମ ଜାମ୍ପାଙ୍କ ଓଭରରେ କ୍ରମାଗତ ତିନିଟି ଛକା ମାରି ୩୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୨୦୧୬ ପରଠାରୁ ଅନ୍ତର୍ଜାତୀୟ ଟି -୨୦ କ୍ରିକେଟରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ। ସେ ୪୩୦ ଟି -୨୦ ମ୍ୟାଚରେ ମୋଟ ୧୪ ହଜାର ୩୮ ରନ କରିଛନ୍ତି। ଏହି ସମୟ ମଧ୍ୟରେ ସେ ୨୨ ଶତକ ଏବଂ ୮୭ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କର ଶ୍ରେଷ୍ଠ ଟି -୨୦ସ୍କୋର ୧୭୫, ଯାହା ସେ ୨୦୧୩ରେ ପୁଣେ ୱାରିୟର୍ସ ବିପକ୍ଷରେ କରିଥିଲେ।

Share