Categories: ଖେଳ

ନାଗାଲାଣ୍ଡର ସମ୍ମାନଜନକ ସ୍କୋର

ଭୁବନେଶ୍ୱର,୪।୧(କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ମଙ୍ଗଳବାର ଆରମ୍ଭ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ନାଗାଲାଣ୍ଡ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର ହୋଇଛି। ଚଳିତ ସିଜନରେ ୫ଟି ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ନାଗାଲାଣ୍ଡ ଉପରେ ଓଡ଼ିଶା ବୋଲରମାନେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛନ୍ତି। ପ୍ରଥମ ଦିବସ ଖେଳ ଶେଷ ବେଳକୁ ଏହି ଦଳ ୬ ଉଇକେଟ ହରାଇ ୨୯୧ ରନ ସଂଗ୍ରହ କରିଛି। ଅର୍ଥାତ୍‌ କେବଳ ଦ୍ୱିତୀୟ ଥରପାଇଁ ନାଗାଲାଣ୍ଡ ଚଳିତ ସିଜନରେ ୩୦୦ ରନ ଅତିକ୍ରମ କରିବା ଦ୍ୱାରରେ ପହଞ୍ଚତ୍ ଯାଇଛି। ଉତ୍ତରାଖଣ୍ଡ ବିପକ୍ଷ ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଏହି ଦଳ ୩୮୯ ରନ କରିଥିଲା। ତେବେ ଦ୍ୱିତୀୟ ଇନିଂସରେ ମାତ୍ର ୨୫ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ସେହିପରି ଉତ୍ତର ପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ୧୩୬ ରନରେ ସୀମିତ ରହି ଫଲୋଅନ ଡାକରା ପାଇବା ପରେ ଦ୍ୱିତୀୟ ଇନିଂସରେ ମାତ୍ର ୧୮୫ ରନରେ ଅଲ୍‌ଆଉଟ ହୋଇ ଯାଇଥିଲା। ତୃତୀୟ ମ୍ୟାଚରେ ବେଙ୍ଗଲ ବିପକ୍ଷରେ ମଧ୍ୟ ଦଳ ଅନୁରୂପ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ି ୨ଟି ଇନିଂସରେ ଯଥାକ୍ରମେ ୧୬୬ ଓ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା। ଅର୍ଥାତ୍‌ ଶେଷ ୫ଟି ଇନିଂସରେ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏହି ଦଳ ୩ଟି ଯାକ ମ୍ୟାଚରେ ଶୋଚନୀୟ ପରାଜିତ ହୋଇଥିଲା। ମାତ୍ର ଓଡ଼ିଶା ବୋଲରମାନେ ନାଗାଲାଣ୍ଡର ସେପରି ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ପାରି ନାହାନ୍ତି।
ଝିମୋମି-ବିସ୍ତଙ୍କ ଶତକୀୟ ଭାଗୀଦାରି
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଓଡ଼ିଶା। ଓପନର ଜୋସୁଆ ଓଜୁକମ୍‌ (୭), ଯୁଗନ୍ଦର ସିଂ (୨୦) ଏବଂ ଅଧିନାୟକ ରୋଙ୍ଗସେନ ଜୋନାଥନ (୨୪)ଙ୍କ ଉଇକେଟ ଶୀଘ୍ର ପତନ ହୋଇଥିଲେ ହେଁ ଶ୍ରୀକାନ୍ତ ମୁଣ୍ଡେ, ଚେତନ ବିସ୍ତ ଓ ହୋକାଇତୋ ଝିମୋମିଙ୍କ ଦୃଢ଼ ବ୍ୟାଟିଂ ସହାୟତାରେ ନାଗାଲାଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ବିଶେଷ କରି ୪ର୍ଥ ଉଇକେଟରେ ମୁଣ୍ଡେ-ବିସ୍ତଙ୍କ ଭାଗୀଦାରିରେ ୭୧ ଏବଂ ଝିମୋମି-ବିସ୍ତଙ୍କ ୫ମ ଉଇକେଟ ଯୋଡ଼ିରେ ୧୨୮ ରନର ପାର୍ଟନରଶିପ୍‌ ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲା। ମୁଣ୍ଡେ ୧୦୩ ବଲ୍‌ରୁ ୬୬ ଓ ଝିମୋମି ୧୪୪ ବଲ୍‌ରୁ ୫୯ ରନକରି ଆଉଟ ହୋଇଥିବାବେଳେ ବିସ୍ତ ୯୪ (୧୫୩ ବଲ, ୧୧ ଚୌକା, ୧ ଛକା) ରନରେ ଅପରାଜିତ ରହି ଶତକର ନିକଟତର ହୋଇଛନ୍ତି। ମହାରାଷ୍ଟ୍ରର ମୁଣ୍ଡେ ଓ ବିସ୍ତ ଚଳିତ ସିଜନରେ ନାଗାଲାଣ୍ଡ ପକ୍ଷରୁ ଖେଳୁଛନ୍ତି। ଓଡ଼ିଶା ବୋଲରଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ ଭଲ ଫର୍ମ ବଜାୟ ରଖି ୩ଟି ଏବଂ ତାରିଣୀ ସ’ ୩ଟି ଉଇକେଟ ନେଇଛନ୍ତି। ଅନ୍ୟ ବୋଲରମାନେ ପ୍ରଭାବୀହୀନ ରହିଛନ୍ତି।
ସଂକ୍ଷିପ୍ତ ସ୍କୋର
ନାଗାଲାଣ୍ଡ ପ୍ରଥମ ଇନିଂସ: ୨୯୧/୬ (ଚେତନ ବିସ୍ତ-୯୪*, ଶ୍ରୀକାନ୍ତ ମୁଣ୍ଡେ-୬୬, ହୋକାଇତୋ ଝିମୋମି-୫୯, ସୂର୍ଯ୍ୟକାନ୍ତ ପ୍ରଧାନ-୩/୬୯, ତାରିଣୀ ସ’-୩/୫୫)।

Share