Categories: ଖେଳ

ଅବଶିଷ୍ଟ ଭାରତ ଟାଇଟଲ ବଜାୟ ରଖିଲା

ଗ୍ବାଲିୟର, ୬ା୩ (ପି.ଟି.): ମଧ୍ୟ ପ୍ରଦେଶକୁ ୨୩୮ ରନରେ ପରାସ୍ତ କରି ଅବଶିଷ୍ଟ ଭାରତ ଦଳ ସମ୍ମାନଜନକ ଇରାନୀ କପ୍‌ ଟାଇଟଲ ବଜାୟ ରଖିଛି। ଅସମ୍ଭବ ମନେ ହେଉଥିବା ୪୩୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମଧ୍ୟ ପ୍ରଦେଶ ୫୮. ୪ ଓଭରରେ ୧୯୮ ରନ କରି ଅଲଆଉଟ ହୋଇଯାଇଥିଲା। ମ୍ୟାଚ ୫ମ ଦିବସ ହଖେଳ ଓପନିଂ ସେସନରେ ଶେଷ ହୋଇଯାଇଥିଲା। ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଯେପରି ଭାବେ ଶେଷ ହେଲା ସେ ନେଇ ଇନ୍ଦୋର ପିଚ୍‌କୁ ଆଇସିସି ନିମ୍ନମାନର ବୋଲି ଦର୍ଶାଇବାର ସହ ୩ ଡିମେରିଟ୍‌ ପଏଣ୍ଟରେ ଦଣ୍ଡିତ କରିଥିଲା। ହେଲେ ଗ୍ବାଲିୟର ଟ୍ରାକ୍‌ ଖେଳର ସମସ୍ତ ବିଭାଗକୁ ସହାୟକ ହୋଇଥିଲା। ମ୍ୟାଚରେ ୪ଟି ଶତକ ସ୍କୋର ହୋଇଥିଲା। ୪୦ଟି ଉଇକେଟ ପତନ ଘଟିଥିଲା ଏବଂ ଉଭୟ ପେସ୍‌ ଓ ସ୍ପିନ ବୋଲରଙ୍କୁ ସମାନ ଫାଇଦା ମଳିଥିଲା। ମଧ୍ୟ ପ୍ରଦେଶର ଦ୍ୱିତୀୟ ଇନିଂସରେ ପେସ୍‌ ଓ ସ୍ପିନ ବୋଲରମାନେ ୫ଟି ଲେଖାଏଁ ଉଇକେଟ ବାଣ୍ଟିକରି ନେଇଥିଲେ। ଦୁଇଟି ଇନିଂସ (୨୧୩ ଓ ୧୪୪ରନ)ରେ ମୋଟ ୩୫୭ରନ ସଂଗ୍ରହ କରିଥିବା ଯଶସ୍ବୀ ଜୈସ୍ବାଲ ମ୍ୟାଚରେ ସବୁଠାରୁ ଅଧିକ ରନ ସଂଗ୍ରହ କରିଥିଲେ। ଜୈସ୍ବାଲ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଅବଶିଷ୍ଟ ଭାରତ ପ୍ରଥମ ଇନିଂସ: ୪୮୪। ମଧ୍ୟପ୍ରଦେଶ ପ୍ରଥମ ଇନିଂସ: ୨୯୪। ଅବଶିଷ୍ଟ ଭାରତ ଦ୍ୱିତୀୟ ଇନିଂସ: ୨୪୬। ମଧ୍ୟ ପ୍ରଦେଶ ଦ୍ୱିତୀୟ ଇନିଂସ: ୫୮.୪ ଓଭରରେ ୧୯୮/ଅଲଆଉଟ (ହିିମାଂଶୁ ମନ୍ତ୍ରୀ-୫୧, ହର୍ଶ ଗାଓଲି-୪୮; ସୌରଭ କୁମାର-୩/୬୦, ପୁଲକିତ ନାରଙ୍ଗ-୨/୨୭, ମୁକେଶ କୁମାର-୨/୩୪, ଅତିତ ଶେଠ୍‌-୨/୩୭)।

 

Share