‘ମୁଁ ମଣିଷ, ମୋର ବି ଏକ ମନ ଅଛି’

ହେଲସିଙ୍କି,୨୫।୮: ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସାନ୍ନା ମାରିନ ଏକ ପାର୍ଟିରେ ତାଙ୍କ ବନ୍ଧୁମାନଙ୍କ ସହ ନିଶାଗ୍ରସ୍ତ ଅବସ୍ଥାରେ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ତାଙ୍କୁ ଖୁବ୍‌ ସମାଲୋଚନାର ଶିକାର ହେବାକୁ ପଡିଥିଲା। ପାର୍ଟିର ଭିଡିଓ ଭାଇରାଲ୍‌ ପରେ ୩୬ ବର୍ଷୀୟା ମାରିନ କହିଛନ୍ତି, ମୁଁ ମଣିଷ। ମୁଁ ମଧ୍ୟ ବେଳେବେଳେ ଏହି ଅନ୍ଧକାର ମେଘ ମଧ୍ୟରେ ସୁଖ, ହାଲୁକା ଏବଂ ମଜା ପାଇଁ ଇଚ୍ଛା କରେ। ଏହା ବ୍ୟକ୍ତିଗତ ସୁଖ ଏବଂ ଏହା ହିଁ ହେଉଛି ଜୀବନ। ହେଲସିଙ୍କିର ଉତ୍ତରରେ ଥିବା ଲାହଟି ସହରରେ ନିଜ ସୋସିଆଲ ଡେମୋକ୍ରାଟିକ ପାର୍ଟି (ଏସଡିପି)ର ଏକ କାର୍ଯ୍ୟକ୍ରମରେ ଭାବପ୍ରବଣ ହୋଇ ସେ ଏହା କହିଛନ୍ତି।
ମାରିନ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ସପ୍ତାହେ ହେବ ମୁଁ ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଛି। ଆମେ କାର୍ଯ୍ୟ ସମୟରେ କଣ କରୁଛୁ ଲୋକମାନେ ତାହା ଦେଖନ୍ତୁ, ଖାଲି ସମୟରେ ଆମେ କଣ କରୁଛୁ ତାହା ଦେଖିବା ଠିକ୍‌ ନୁହେଁ ବୋଲି ମୁଁ ବିଶ୍ୱାସ କରେ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ମାରିନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଭିଡିଓରେ ମାରିନ ତାଙ୍କ ସାଙ୍ଗ ଏବଂ ସେଲିବ୍ରିଟିଙ୍କ ସହ ପାର୍ଟିରେ ନାଚୁଥିବା ଦେଖିବାକୁ ମିଳିଥିଲା। କିଛି ଲୋକ ସାନ୍ନା ମାରିନଙ୍କୁ ସମାଲୋଚନା କରି ଏହାକୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁପଯୁକ୍ତ ଆଚରଣ ବୋଲି କହିଥିଲେ।

Share