ନୂଆଦିଲ୍ଲୀ,୧୪।୧: ବର୍ତ୍ତମାନ ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି। ଏହାପରେ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ବାଇଟ୍ ବଲ୍ ଫର୍ମାଟରେ ସିରିଜ ଖେଳିବ। ବିସିସିଆଇ ପକ୍ଷରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଦିନିକିଆ-ଟି୨୦ ସିରିଜ ଲାଗି ଦଳ ଘୋଷଣା କରାଯାଇଛି। ଏଥିସହ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରାରମ୍ଭିକ ୨ ଟେଷ୍ଟ ଲାଗି ଦଳ ଘୋଷଣା ହୋଇଛି।
ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି୨୦ ସିରିଜରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସୁଯୋଗ ମିଳିନାହିଁ। ଏହାପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ସିରିଜରୁ ଉଭୟ ବାଦ ପଡ଼ିଥିଲେ। ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହି ଦୁଇ ବରିଷ୍ଠ ଖେଳାଳିଙ୍କୁ ଟି୨୦ ଫର୍ମାଟରୁ ବିଦା କରାଯାଉଛି ନା ଏହା କେବଳ ଆରାମ କରିବା ଲାଗି ବ୍ରେକ୍ ଦିଆଯାଉଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି।
ଟି୨୦ ବିଶ୍ୱକପ୍ ୨୦୨୨ ସେମିଫାଇନାଲରେ ଟିମ୍ ଇଣ୍ଡିଆ ପରାଜିତ ହୋଇଥିଲା। ଏହାପରଠାରୁ ଏହି ଫର୍ମାଟରେ କିଛି ବଡ଼ ନିଷ୍ପତ୍ତି ଦେଖିବାକୁ ମିଳିବାର ସଙ୍କେତ ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଫର୍ମାଟର ଦାୟିତ୍ୱ ମିଳିବ ବୋଲି କୁହାଯାଉଥିବା ବେଳେ ଏନେଇ ଏଯାଏ କୌଣସି ଘୋଷଣା ହୋଇନାହିଁ। ହେଲେ ଦଳରେ ବିଶ୍ୱକପ୍ ପରଠାରୁ ବରିଷ୍ଠ ଖେଳାଳିଙ୍କୁ କମ୍ ସୁଯୋଗ ମିଳୁଛି। ଟି୨୦ ବିଶ୍ୱକପ୍ ୨୦୨୪କୁ ଦୃଷ୍ଟିରେ ରଖି ହାର୍ଦ୍ଦିକଙ୍କ ନେତୃତ୍ୱରେ ଦଳକୁ ପ୍ରସ୍ତୁତ କରାଯାଉଛି। ଏହି କାରଣରୁ ରୋହିତ, କୋହଲି ଏବଂ କେଏଲ୍ ରାହୁଲଙ୍କୁ ଟି୨୦ ଫର୍ମାଟରୁ ଅଣଦେଖା କରାଯାଉଥିବା କୁହାଯାଇଛି।