ଖୋଲିବ ରେଷ୍ଟୁରାଣ୍ଟ, ବାର୍‌

ଭୁବନେଶ୍ୱର(ବ୍ୟୁରୋ),୩ା୯:ଦୀର୍ଘଦିନ ପରେ ପୁଣିଥରେ ରେଷ୍ଟୁରାଣ୍ଟରେ ବସି ଖାଇପାରିବେ ଲୋକେ। ଅନ୍‌ଲକ୍‌ ୪.୦ ଗାଇଲାଇନ୍‌ ଅନୁଯାୟୀ ରାଜ୍ୟରେ ରେଷ୍ଟୁରାଣ୍ଟ ଓ ବାର୍‌କୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଅନୁମତି ମିଳିବା ପରେ ବୁଧବାର ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏନେଇ ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ଅଫ୍‌ ଓଡ଼ିଶା(ଏଚ୍‌ଆର୍‌ଏଓ) ସମେତ ସମସ୍ତ ରେଷ୍ଟୁରାଣ୍ଟ ଆସୋସିଏଶନକୁ ଚିଠି ଲେଖିଛନ୍ତି। ଜୁନ୍‌ ୪ରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜାରି କରିଥିବା କୋଭିଡ୍‌-୧୯ କଟକଣାକୁ ଅନୁକରଣ କରି ରେଷ୍ଟୁରାଣ୍ଟ ଓ ବାର୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇନ୍‌ହାଉସ୍‌ ଡାଇନିଂ ବ୍ୟବସ୍ଥା ଥିବା ସମସ୍ତ ରେଷ୍ଟୁରାଣ୍ଟ ଓ ବାର୍‌ କୋଭିଡ୍‌-୧୯ ଏସ୍‌ଓପି ମାନିବାକୁ ବାଧ୍ୟତାମୂଳକ କରାଯାଇଛି। କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟରେ ଥିବା ରେଷ୍ଟୁରାଣ୍ଟ ଓ ବାର୍‌ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯିବନାହିଁ। କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠିବା ପରେ ସ୍ଥାନୀୟ ପ୍ରଶାସନ ଏନେଇ ନିଷ୍ପତ୍ତି ନେବ। ଅନ୍ୟପକ୍ଷରେ ୬୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ, କୋମର୍‌ବିଡ୍‌ ରୋଗ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କୁ ଘରେ ରହିବାକୁ କୁହାଯାଇଛି। ଗ୍ରାହକମାନେ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବା ସହ ନିୟମ ପାଳନ କରିବେ। ସେହିଭଳି ରେଷ୍ଟୁରାଣ୍ଟଗୁଡ଼ିକ ଡାଇନ୍‌-ଇନ୍‌ ପରିବର୍ତ୍ତେ ଟେକ୍‌ ଆୱେକୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି।

Share