ବାରିପଦା ଅଫିସ,୧୩।୧: ମକର ଉତ୍ସବ ମୟୂରଭଞ୍ଜର ଗଣପର୍ବ। ଏହି ଦିନକୁ ସରକାରୀ ଭାବେ ଛୁଟି ଘୋଷଣା ମଧ୍ୟ କରାଯାଇଛି। ତେବେ କରୋନା ତୃତୀୟ ଲହର କଟକଣା ଭିତରେ ଏହି ପର୍ବ ପାଳନ ନେଇ ଅନିଶ୍ଚିତତା ଦେଖାଦେଇଛି। ଜିଲା ପ୍ରଶାସନ ପକ୍ଷରୁ ଜନ ସମାଗମ ଓ ଜଳାଶୟ ନିକଟରେ ଭିଡ଼ ନ ଜମାଇବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମକର ପର୍ବ ସମୟରେ ପାଳିତ ହେଉଥିବା ଅନ୍ୟ ଏକ ପରମ୍ପରା ‘ଟୁସୁ’ ପର୍ବ ଓ ଦାମୋଦର ମେଳା ପାଳନରେ ମଧ୍ୟ ଲାଗିଛି ସରକାରୀ ଅଙ୍କୁଶ। ତେବେ ନିଜକୁ ସୁରକ୍ଷିତ ରଖିବା ପାଇଁ ପର୍ବ ପାଳନ ପ୍ରସ୍ତୁତିରେ ଲୋକେ ଧିମେଇ ଯାଇଛନ୍ତି।
ଜିଲାର ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ୧୫ଦିନ ଧରି ପାଳନ କରିଥାନ୍ତି। ନୂଆ ପୋଷାକ ପରିଧାନ କରି ଆଦିବାସୀ ଯୁବତୀ ଯୁବକ, ମହିଳା ପୁରୁଷ କାନ୍ଧକୁ କାନ୍ଧ ମିଶାଇ ହାତକୁ ହାତ ଧରି ମାଦଳର ତାଳେ ତାଳେ ମସଗୁଲ ହୋଇଥାନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ମେଳା ଆୟୋଜନ କରାଯାଇଥାଏ। ଜିଲାର କପ୍ତିପଦା ଉପଖଣ୍ଡର ସମୀବୃକ୍ଷ, ବାମନଘାଟୀର ରାଣୀବୃକ୍ଷ, ପାଞ୍ଚପୀଢ଼ର କେଶରୀକୁଣ୍ଡ, ଯଣିପୁରର ରାମତୀର୍ଥ, ଖିଚିଂ ନିକଟସ୍ଥ ଦୋମୁହାଣୀ ଓ ଭୀମକୁଣ୍ଡଠାରେ ୭ଦିନ ପର୍ଯ୍ୟନ୍ତ ଏହି ମେଳା ବସିଥାଏ। ତେବେ ସରକାରୀ କଟକଣାକୁ ନେଇ ଚଳିତବର୍ଷ ମେଳା ମହୋତ୍ସବ ବନ୍ଦ ରହିଛି। ଫଳରେ ଲୋକେ ନିଜ ଘରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇପିଇ ମକର ପର୍ବକୁ ପାଳନ କରିବେ ବୋଲି ଜଣାପଡ଼ିଛି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଦୋକାନରେ ବେପାର କମିଥିବା ଲୁଗା ବ୍ୟବସାୟୀ ରମେଶ ନାୟକ କୁହନ୍ତି। ସେହିପରି ଗଁା ଗହଳିର ଲୋକମାନେ ଆଗଭଳି ମୋଟା ଅଙ୍କର ସଉଦା ନେବାକୁ ମନବଳାଉ ନ ଥିବାରୁ ବେପାର ମାନ୍ଦା ପଡ଼ିଥିବା ମନୋରଞ୍ଜନ ସାମଲ ପ୍ରକାଶ କରିଛନ୍ତି।