Categories: ଜାତୀୟ

୨୨ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ ପ୍ରତିବନ୍ଧକ…

ନୂଆଦିଲ୍ଲୀ, ୫।୪ : ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୨ ୟୁଟ୍ୟୁବ୍‌ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନିର୍ଦ୍ଦେଶ ମିଳିବା ପରେ ତତ୍କାଳ ଏସବୁ ଚ୍ୟାନେଳଗୁଡ଼ିକୁ ବ୍ଲକ୍‌ କରି ଦିଆଯାଇଛି। ସେଥିମଧ୍ୟରେ ୪ ପାକିସ୍ତାନୀ ୟୁଟ୍ୟୁବ୍‌ ଚ୍ୟାନେଲ ରହିଛି। କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଆଦେଶ ଅନୁସାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଭାରତର ଜାତୀୟ ନିରାପତ୍ତା, ବହିର୍ବ୍ୟାପାର ସମ୍ପର୍କ ଏବଂ ସାର୍ବଜନୀକ ଜନ ଶୃଙ୍ଖଳା ସହ ଜଡିତ ଆପତ୍ତିଜନକ ପ୍ରଚାର ପ୍ରସାର ପାଇଁ ଏହି ଚ୍ୟାନେଲଗୁଡିକ ଉପରେ ପ୍ରତିବନ୍ଧକ ଲଗା ଯାଇଛି। ପ୍ରଥମ ଥର ପାଇଁ, ୨୦୨୧ ଆଇଟି ନିୟମ ଅନୁଯାୟୀ ୧୮ ଟି ଭାରତୀୟ ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲ ଅବରୋଧ କରାଯାଇଛି। ଦର୍ଶକଙ୍କୁ ବିଭ୍ରାନ୍ତ କରିବା ପାଇଁ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଟିଭି ନ୍ୟୁଜ ଚ୍ୟାନେଲଗୁଡ଼ିକର ଲୋଗୋ ଏବଂ ମିଥ୍ୟା ଥମ୍ବନେଲ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ଏହି ଚ୍ୟାନେଲ ବ୍ୟତୀତ ୩ ଟି ଟୁଇଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ନ୍ୟୁଜ ୱେବସାଇଟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହାପୂର୍ବରୁ ଜାନୁଆରୀରେ ମନ୍ତ୍ରଣାଳୟ ପକ୍ଷରୁ ୩୫ ଟି ଚ୍ୟାନେଲକୁ ବ୍ଲକ୍‌ କରାଯାଇଥିଲା। ଏହା ବ୍ୟତୀତ ଦୁଇଟି ୱେବସାଇଟକୁ ମଧ୍ୟ ବାରଣ କରାଯାଇଥିଲା। ସରକାର କହିଛନ୍ତି ଯେ ଏହି ଚ୍ୟାନେଲ ଏବଂ ୱେବସାଇଟଗୁଡ଼ିକ ଭାରତ ବିରୋଧରେ ପ୍ରଚାର ପ୍ରସାର କରୁଛନ୍ତି। ସୂଚନା ଏବଂ ପ୍ରସାରଣ ସଚିବ ଆପୋର୍ଭା ଚନ୍ଦ୍ର କହିଛନ୍ତି ଯେ ଏହି ଚ୍ୟାନେଲଗୁଡ଼ିକ ସମନ୍ବିତ ଢଙ୍ଗରେ ଭାରତ ବିରୁଦ୍ଧରେ ଏଜେଣ୍ଡା ଚଳାଇବାରେ ବ୍ୟସ୍ତ ଅଛନ୍ତି।

ସେ କହିଛନ୍ତି ଯେ ଭାରତୀୟ ଗୁପ୍ତଚର ସଂସ୍ଥା ସେମାନଙ୍କ ଉପରେ ନଜର ରଖିଛନ୍ତି ଏବଂ ସେମାନଙ୍କ ରିପୋର୍ଟ ପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ଉପରେ କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣମନ୍ତ୍ରୀ ମଧ୍ୟ ତୀକ୍ଷ୍‌ଣ ନଜର ରଖିଥିବା ସେ କହିଛନ୍ତି।

 

 

 

Share