Categories: ଜାତୀୟ

ଆଇଟି ନିୟମ ଧାରା ଉପରେ ରୋକ

ମୁମ୍ବାଇ, ୧୫ା୮: ଡିଜିଟାଲ ମିଡିଆ ପାଇଁ ଉଦ୍ଦିଷ୍ଟ ନୂଆ ସୂଚନା ପ୍ରଯୁକ୍ତିବିଦ୍ୟା(ଆଇଟି) ନିୟମ, ୨୦୨୧ର ଧାରା ୯ (୧) ଏବଂ ୯ (୩) ଉପରେ ବମ୍ବେ ହାଇକୋର୍ଟ ଶନିବାର ରୋକ ଲଗାଇଛନ୍ତି। ଆଚରଣ ସଂହିତା ସମ୍ବନ୍ଧିତ ଖବର ପ୍ରକାଶ ନିମନ୍ତେ ପ୍ରକାଶକଙ୍କ ପାଇଁ ଉଦ୍ଦିଷ୍ଟ ଉକ୍ତ ଧାରାକୁ ସ୍ଥଗିତ ରଖାଯାଇଛି। ଦେଶରେ ୨୦୦୯ରୁ ପ୍ରଚଳିତ ଆଇଟି ନିୟମ ଥାଇ ନୂଆ ଆଇନ ଆଣିବାର କ’ଣ ଆବଶ୍ୟକତା ଥିଲା ବୋଲି ଶୁକ୍ରବାର କେନ୍ଦ୍ର ସରକାରଙ୍କୁ ବମ୍ବେ ହାଇକୋର୍ଟ ପ୍ରଶ୍ନ କରିଥିଲେ। ସମ୍ବିଧାନର ଅନୁଚ୍ଛେଦ ୧୯(୨) ନାଗରିକଙ୍କୁ ପ୍ରଦତ୍ତ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ଏହି ନୂଆ ନିୟମ ବହୁଳ ଭାବେ ପ୍ରଭାବ ପକାଇବ। ଏପରି କି ଏହା ମୂଳ ଆଇନର ପରିସର ବାହାରେ ଥିବା ନେଇ ଡିଜିଟାଲ ନ୍ୟୁଜ୍‌ ପୋର୍ଟାଲ ଲିଫ୍‌ଲେଟ୍‌ ଏବଂ ଖବରଦାତା ନିଖିଲ ଓ୍ବାଗ୍‌ଲେ ପିଟିଶନ ଦାଖଲ କରି ଆପତ୍ତି ଉଠାଇଥିଲେ। ଏହି ଉପଧାରାଗୁଡ଼ିକ ଆବେଦନକାରୀଙ୍କ ଅଭିବ୍ୟକ୍ତି ସ୍ବାଧୀନତା ପାଇଁ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରୁଛି। ଧାରା ୯ର ବ୍ୟବସ୍ଥା ମଧ୍ୟ ମୁଖ୍ୟ ନିୟମ (ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦) ପରିସର ବାହାରେ ଥିବା ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍‌ ଜି. ଏସ୍‌ କୁଲକର୍ଣ୍ଣିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ନୂତନ ନିୟମ ମିଡିଆର ସ୍ବାଧୀନତା ସମେତ ମୌଳିକ ସାମ୍ବିଧାନିକ ଅଧିକାରକୁ ଉଲ୍ଲଂଘନ କରୁଛି। ଏଥିସହ ଅନଲାଇନ୍‌ ନ୍ୟୁଜ୍‌ ବିଷୟବସ୍ତୁ (କଣ୍ଟେଣ୍ଟ) ଉପରେ ସରକାର ଯେପରି ନିୟନ୍ତ୍ରଣ ରଖିପାରିବେ ତାହାକୁ ଏହି ଆଇନ ମାଧ୍ୟମରେ ଗୁରୁତ୍ୱ ଦିଆଯାଇଥିବା ଦର୍ଶାଇ ହାଇକୋର୍ଟ ଏହି ଅନ୍ତରୀଣ ରାୟ ପ୍ରକାଶ କରିଛନ୍ତି।୍ର

Share