ଆସୁଛି ଜାଗରଯାତ୍ରା: ଏକାଠି ଦୀପ ଜାଳିବେନି ଶ୍ରଦ୍ଧାଳୁ

ପୁରୁଣା ଭୁବନେଶ୍ୱର, ୭।୩(ଡି.ଏନ୍‌.ଏ.): ଆସନ୍ତା ୧୧ ତାରିଖରେ ମହାଶିବରାତ୍ରି ଓ ଜାଗରଯାତ୍ରା। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ଶୈବପୀଠଗୁଡ଼ିକରେ ଚଳିତ ବର୍ଷ ସାଧାରଣ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। କେତେକ ପ୍ରମୁଖ ଶୈବପୀଠରେ ୧୪୪ ଧାରା ଜାରି ହେବା ସହିତ ପ୍ରଶାସନିକ ଅଧିକାରୀ, ସେବାୟତ ଓ ପୋଲିସ ସହାୟତାରେ ଜାଗର ପ୍ରସ୍ତୁତି ଚାଲିଛି। ତେବେ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ପାଇଁ କଟକଣାରେ କେତେକ କୋହଳ କରାଯାଇଛି। ପୂର୍ବରୁ କେବଳ ଆଡ଼କାଠ ନିକଟରେ ରହି ଶ୍ରଦ୍ଧାଳୁମାନେ ଦର୍ଶନ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଏବେ ଜାଗର ଜାଳିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଶନିବାର ମନ୍ଦିର ନିକଟ କୋରାପୁଟ ଭବନରେ ବିଭିନ୍ନ ନିଯୋଗ କର୍ମକର୍ତ୍ତାଙ୍କୁ ନେଇ କମିଶନରେଟ ପୋଲିସ ପକ୍ଷରୁ ବୈଠକ ବସି ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହିଦିନ ବ୍ରତଧାରୀମାନେ ବିନ୍ଦୁସାଗର, ତଳବଜାର, ଲିଙ୍ଗରାଜ ହାଟ, ମନ୍ଦିର ସମ୍ମୁଖ, ବଢେଇବାଙ୍କ, ରଥଖଳା ଆଦି ସ୍ଥାନରେ ଏକାଠି ହୋଇ ଉଜାଗର ରହି ଦୀପ ଜାଳିଥାନ୍ତି। ଚଳିତବର୍ଷ ଏହା ଉପରେ ଅଙ୍କୁଶ ଲଗାଯାଇଛି। ଶ୍ରଦ୍ଧାଳୁମାନେ ଏକାଠି ଦୀପ ନ ଜାଳିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ସୁରୁଖୁରୁରେ ଜାଗର ଯାତ୍ରା ସମ୍ପନ୍ନ କରିବାକୁ ବିଭିନ୍ନ ନିଯୋଗର ସେବାୟତ, ପୋଲିସ, ପ୍ରତ୍ନତତ୍ତ୍ୱ ବିଭାଗ ଓ ଦେବୋତ୍ତର ବିଭାଗ କର୍ମଚାରୀଙ୍କ ସହ ସାମାଜିକ କାର୍ଯ୍ୟକର୍ତ୍ତାମାନେ ସୁଚାରୁରୂପେ ଦାୟିତ୍ୱ ସମ୍ପନ୍ନ କରିବେ। ଭିଡ଼ ଏଡ଼ାଇବାକୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଆଡ଼କାଠ ନିକଟକୁ ଛଡ଼ାଯିବ। କେତେଜଣ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ଓ କେତେ ସମୟ ମଧ୍ୟରେ ମନ୍ଦିରରୁ ପ୍ରସ୍ଥାନ କରିବାକୁ ଦିଆଯିବ ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦିଆଯାଇ ନାହିଁ।
ଅନ୍ୟପକ୍ଷରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଶ୍ରଦ୍ଧାଳୁଙ୍କୁ ସିଂହଦ୍ୱାର ଦେଇ ଭିତରକୁ ଛଡ଼ାଯିବ। ପ୍ରତିବର୍ଷ ମହାଦୀପ ଉଠିବା ପରେ ଶ୍ରୀ ଲିଙ୍ଗରାଜ ମନ୍ଦିର ଦକ୍ଷିଣ ଦ୍ୱାର, ଉତ୍ତର ଦ୍ୱାର ଓ ସିଂହ ଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରିଥାନ୍ତି। ଏହି ସମୟରେ ଏସବୁ ଦ୍ୱାରରେ ପ୍ରବଳ ଭିଡ଼ ହୋଇଥାଏ। କିନ୍ତୁ ଚଳିତବର୍ଷ ଶ୍ରଦ୍ଧାଳୁଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖି ଧୀରେ ଧୀରେ ଛଡ଼ାଯିବ। ମହାଦୀପ ଉଠିବା ପରେ ସାହାଣ ମେଲା ଦର୍ଶନ ହେବନାହିଁ। ସେହିଭଳି ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଦ୍ୱାରା ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚଳିତବର୍ଷ ହେବା ନେଇ ସବୁଜ ସଂକେତ ମିଳିଛି। ଟ୍ରାଫିକ ନିୟନ୍ତ୍ରଣ ଓ ଭିଡ଼ ଏଡ଼ାଇବାକୁ ମନ୍ଦିରର ଐଶାନ୍ୟ କୋଣର ଅନତୀଦୂର ଶୌଚାଳୟ ନିକଟରେ ମଣ୍ଡପ ନିର୍ମାଣ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସାମନ୍ତରାପୁର, ଗ୍ୟାରେଜ ଛକ, କେଦାରଗୌରୀ ଛକ ଆଦି ବାଟଦେଇ ମନ୍ଦିର ନିକଟକୁ ଭାରିଯାନ ପ୍ରବେଶ କରିବ ନାହିଁ। ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ କରାଯିବା ନେଇ ସ୍ଥିର ହୋଇଥିବା ଶ୍ରୀ ଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି। ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ, ବିଭିନ୍ନ ଜୋନ୍‌ର ଏସିପି, ନିଯୋଗଗୁଡ଼ିକର ପ୍ରମୁଖ ସେବାୟତ ଉପସ୍ଥିତ ଥିଲେ।

Share