Categories: ଖେଳ

ଟ୍ରାନ୍ସ ଆଥ୍‌ଲେଟଙ୍କ ଅଂଶଗ୍ରହଣ ଉପରେ ରୋକ୍‌

ମେଲବୋର୍ନ,୧୯।୪(ପି.ଟି.): ଅଷ୍ଟ୍ରେଲିଆନ୍‌ ବାସ୍କେଟବଲ୍‌ ଲିଗ୍‌ରେ ଜଣେ ଟ୍ରାନ୍ସ ଆଥ୍‌ଲେଟଙ୍କ ଅଂଶଗ୍ରହଣ ଉପରେ ରୋକ ଲଗାଇଛି। ଅଷ୍ଟ୍ରେଲୀୟ ମହିଳା ବାସ୍କେଟବଲ ଲିଗ୍‌ର ଦ୍ୱିତୀୟ ଟିଅର ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ଲେକ୍ସି ରୋଜର୍ସ ନାମକ ଜଣେ ମହିଳା ଖେଳାଳି ଆବେଦନ କରିଥିଲେ। ଏକ କମିଟି ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରିବା ପରେ ଲେକ୍ସିଙ୍କ ଅଂଶଗ୍ରହଣ ଉପରେ ପ୍ରତିବନ୍ଧକ ଲଗାଇଛି। ଲେକ୍ସି ଗତ ମାସରେ ମେଲବୋର୍ନର କ୍ଲବ୍‌ କିଲ୍‌ସିଥ୍‌ କୋବ୍ରାସ ପକ୍ଷରୁ ଖେଳିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହା ଟ୍ରାନ୍ସ ଆଥ୍‌ଲେଟମାନଙ୍କ ପାଇଁ ମୁଖ୍ୟ ସ୍ରୋତରେ ସାମିଲ ହେବାର ପ୍ରକୃଷ୍ଟ ସୁଯୋଗ ବୋଲି ଲେକ୍ସି କହିଥିଲେ। ମଙ୍ଗଳବାର ବାସ୍କେଟବଲ ଅଷ୍ଟ୍ରେଲିଆ ପକ୍ଷରୁ ଏ ନେଇ ଏକ ବାର୍ତ୍ତା ଜାରି କରାଯାଇଛି। ୩ ଜଣିଆ ବିଶେଷଜ୍ଞ କମିଟି ଏ ସମ୍ପର୍କରେ ନିଷ୍ପତ୍ତି ନେଇ ଟ୍ରାନ୍ସ ଆଥ୍‌ଲେଟଙ୍କ ଉପରେ ରୋକ୍‌ ଲଗାଇଛନ୍ତି। ଟ୍ରାନ୍ସ ଆଥ୍‌ଲେଟ୍‌ଙ୍କୁ ସାଧାରଣ ଖେଳାଳିଙ୍କ ସହିତ ଖେଳିବାର ସୁଯୋଗ ମିଳିଲେ କ’ଣ ଲାଭ ବା କ୍ଷତି ହେବ ତାହାର ପ୍ରଭାବ ସମ୍ପର୍କରେ ଆମେ ଅଜ୍ଞ। ଏ ସମ୍ପର୍କରେ ଖୁବ୍‌ ଶୀଘ୍ର ଏକ ଚୂଡାନ୍ତ ଆଇନ ପ୍ରଣୟନ କରାଯିବ। ଲେକ୍ସିଙ୍କୁ ନିଜର ମତାମତ ଓ ଅଭିଜ୍ଞତା ଜଣାଇବା ପାଇଁ କମିଟି ପରାମର୍ଶ ଦେଇଛି। କମିଟିର ବର୍ତ୍ତମାନର ନିଷ୍ପତ୍ତିରେ ମୁଁ ଅତ୍ୟନ୍ତ ଦୁଃଖିତ। ତେବେ ଭବିଷ୍ୟତରେ ମୋ ପରି ଆଥଲେଟମାନଙ୍କୁ ଖେଳିବାର ସୁଯୋଗ ମିଳିବ ବୋଲି ମୁଁ ଆଶା କରୁଛି । ୩ ଜଣିଆ କମିଟିର ସଦସ୍ୟ ରହିଥିବା ତଥା ୩ ଥର ଅଲିମ୍ପିକ୍ସ ଖେଳିଥିବା ସୁଜି ବାଟକୋଭିକ୍‌ ଅସୀମ ଧୈର୍ଯ୍ୟର ପରିଚୟ ଦେଇଥିବା ଲେକ୍ସିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଭିନ୍ନ ପ୍ରତିଯୋଗିତା ପାଇଁ ଆମେ ନୂତନ ନିୟମ ପ୍ରଣୟନ କରୁଛୁ। ଖେଳାଳିଙ୍କ ସୁରକ୍ଷା ଓ ଫାଇଦାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ବାଟକୋଭିକ୍‌ କହିଛନ୍ତି। ଗତ ମାସରେ ଟ୍ରାକ୍‌ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଟ୍ରାନ୍ସ ଆଥ୍‌ଲେଟଙ୍କ ଉପରେ ବ୍ୟାନ୍‌ ଲଗା ଯାଇଥିଲା। ଏହା ପୂର୍ବରୁ ଓ୍ବାଲର୍‌ଡ ଆଥ୍‌ଲେଟିକ କାଉନ୍‌ସିଲ୍‌ ମଧ୍ୟ ବର୍ଷେ ତଳେ ସନ୍ତରଣ ପାଇଁ ସମାନ ନିୟମ ଲାଗୁ କରିଥିଲା।

Share