ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ଲାଗିଲା ପ୍ରତିବନ୍ଧକ: ଭିଡିଓ ହଟାଇଲା ୟୁଟ୍ୟୁବ୍‌

ଓ୍ବାଶିଂଟନ୍‌,୧୩।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ପ୍ରତିବନ୍ଧକ ଲଗାଯାଉଛି। ଟୁଇଟରର ସହିତ ଟ୍ରମ୍ପଙ୍କ ଶତ୍ରୁତା ବହୁ ପୁରୁଣା, କିନ୍ତୁ ଏବେ ଫେସବୁକ ଏବଂ ୟୁଟ୍ୟୁବ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କିଛି ଦିନ ପୂର୍ବରୁ ଫେସବୁକ, ସ୍ନାପଚାଟ ଏବଂ ଟୁଇଟର ଟ୍ରମ୍ପଙ୍କ ଭିଡିଓ, ପୋଷ୍ଟ ଏବଂ ଆକାଉଣ୍ଟକୁ ହଟାଇ ଦେଇଥିଲା ଏବଂ ଏବେ ୟୁଟ୍ୟୁବ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଅପଲୋଡ ହୋଇଥିବା ନୂଆ ଭିଡିଓ କଣ୍ଟେଟ ହଟାଇ ଦେଇଛି। ଏଥିସହ ସେବା ସର୍ତ୍ତାବଳୀ ଉଲ୍ଲଂଘନ ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲକୁ ସ୍ଥଗିତ ରଖାଯାଇଛି। ୟୁଟ୍ୟୁବ ଏକ ବିବୃତ୍ତିରେ କହିଛି ଯେ ଟ୍ରମ୍ପ ଏକ ଭିଡିଓ ଅପଲୋଡ କରିଛନ୍ତି ଯାହା ଆମର ନୀତିର ଉଲ୍ଲଂଘନ କରୁଛି ଯାହା ପରେ ତାଙ୍କ ଚ୍ୟାନେଲ ଉପରେ କଟକଣା ଲଗାଯାଇଛି। ଏଭଳି ପରିସ୍ଥିତିରେ ଟ୍ରମ୍ପ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ତାଙ୍କ ଚ୍ୟାନେଲରେ କୌଣସି ଭିଡିଓ ଅପଲୋଡ କରିପାରିବେ ନାହିଁ। ୟୁଟ୍ୟୁବରେ ଟ୍ରମ୍ପଙ୍କ ଚ୍ୟାନେଲର ନାମ ହେଉଛି ଡୋନାଲ୍ଡ ଜେ. ଟ୍ରମ୍ପ। ତାଙ୍କର ୨.୭୭ ମିଲିୟନ ଗ୍ରାହକ।

Share